ନୂଆ ଶିବସେନା ଭବନ ତିଆରି କରିବାକୁ ଚାହୁଁଛନ୍ତି ଏକନାଥ ସିନ୍ଧେ !

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରକୃତ ଶିବସେନା କିଏ? ତା’ର ବିଚାର ସୁପ୍ରିମକୋର୍ଟରେ ଚାଲିଛି। ଶିବସେନାର ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ପୁଅ ଉଦ୍ଧବ ନିଜକୁ ପ୍ରକୃତ ଶିବ ସୈନିକ କହୁଥିବା ବେଳେ ବିଜେପି ସହ ହାତ ମିଳାଇ ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଧେ ମଧ୍ୟ ସମାନ ଦାବି କରୁଛନ୍ତି। ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରି ସିନ୍ଧେ ଓ ଆଉ କିଛି ବିଧାୟକ ଏବଂ ସାଂସଦ ବିଜେପି ସହ ମେଣ୍ଟ କରିଛନ୍ତି। ଏହାକୁ ଉଦ୍ଧବ ବିରୋଧ କରୁଥିବା ବେଳେ ସିନ୍ଧେ ଗୋଷ୍ଠୀ ନିଜକୁ ପ୍ରକୃତ ଶିବ ସୈନିକ କହୁଛନ୍ତି।

ଏସବୁ ବିବାଦ ଭିତରେ ଉଦ୍ଧବ ଠାକରେଙ୍କୁ କାଉଣ୍ଟର କରିବା ପାଇଁ ଏକନାଥ ସିନ୍ଧେ ଆଉ ଏକ ନୂଆ ଶିବସେନା ଭବନ ତିଆରି କରିବାକୁ ଯୋଜନା କରୁଥିବା ଖବର ସାମ୍ନାକୁ ଆସିଛି। ପୁରୁଣା ଶିବସେନା ଭବନ ଯେଉଁ ଢାଞ୍ଚାରେ ରହିଛି, ଅନୁରୂପ ବିଲଡିଂ ତିଆରି କରିବାକୁ ସିନ୍ଧେ ଗୋଷ୍ଠୀ ଚାହୁଁଛନ୍ତି। କେବଳ ଶିବସେନା ଭବନ ନୁହେଁ, ବିଦ୍ରୋହୀ ଗୋଷ୍ଠୀ ରାଜ୍ୟର ସବୁ ସ୍ଥାନରେ ନୂଆ ଦଳୀୟ ଅଫିସ ମଧ୍ୟ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି। ନୂଆ ଶିବସେନା ଭବନ କେଉଁଠି ତିଆରି ହେବ, ତା’ହା ସ୍ପଷ୍ଟ ହୋଇନି। କିନ୍ତୁ ପୁରୁଣା ଅଫିସ ଥିବା ମୁମ୍ବାଇର ଦାଦରରେ ସିନ୍ଧେ ଆଣ୍ଡ ଶିବସେନା ଭବନ ତିଆରି କରିବାକୁ ଜମି ଖୋଜୁଥିବା ରିପୋର୍ଟ ପ୍ରକାଶ ପାଇଛି। ଏନେଇ ପୂରା ମହାରାଷ୍ଟ୍ରରେ ହଇଚଇ ସୃଷ୍ଟି ହୋଇଛି।

ତେବେ ଏନେଇ ନୂଆ କରି ସିନ୍ଧେଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ଉଦୟ ସାମନ୍ତ ପ୍ରତିକ୍ରିୟା ରଖିଛନ୍ତି। ସିନ୍ଧେ ଗୋଷ୍ଠୀ ନୂଆ ଶିବସେନା ଭବନ ତିଆରି କରିବାକୁ ଚାହୁଁଥିବା ଖବରରେ କୌଣସି ପ୍ରକାରର ସତ୍ୟତା ନଥିବା ସେ କହିଛନ୍ତି। ସେ କହିଛନ୍ତି, “ସାମାନ୍ତରଳ ଭାବେ ନୂଆ ଶିବସେନା ଭବନ ମୁମ୍ବାଇର ଦାଦରରେ ତିଆର ହେବା ରିପୋର୍ଟ ସଂପୂର୍ଣ୍ଣ ଭାବେ ଭୁଲ। ହଁ ଏହା ସତ ଯେ ଆମେ ଗୋଟିଏ କେନ୍ଦ୍ରୀୟ ଅଫିସ ଖୋଜୁଛୁ, ଯାହା ଦ୍ୱାରା ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ସହଜରେ ଭେଟି ପାରିବେ। ଆମେ ଶିବସେନା ଭବନକୁ ସମ୍ମାନ କରୁ। ତେଣୁ ପୂର୍ବଭଳି ଶିବସେନା ଭବନ ଗୋଟିଏ ହିଁ ରହିବ।”

Related Posts