![](https://www.satyapatha.com/wp-content/uploads/2022/12/02bf77c358-716x469.jpg)
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ଅନେକ ରାଜ୍ୟରେ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ସର୍ବସମ୍ମୁଖରେ ଜାରି ରହିଛି। କେତେବେଳେ ତାମିଲନାଡ଼ୁରେ ରାଜ୍ୟପାଳଙ୍କୁ ବଦଳାଇବା ପାଇଁ ଦାବି କରାଯାଉଛି ତ କେରଳରେ ରାଜ୍ୟପାଳଙ୍କୁ ନେଇ ବିବାଦ ତୀବ୍ର ହେଉଛି। ଅନ୍ୟପଟେ ପୂର୍ବରୁ ପଶ୍ଚିମବଙ୍ଗରେ ରାଜ୍ଯପାଳ ଓ ସରକାରଙ୍କ ମଧ୍ୟ ରହିଥିବା ବିବାଦ ସମସ୍ତେ ଜାଣିଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ର ରାଜ୍ୟପାଳ କିନ୍ତୁ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ସହ ପ୍ରତିଦିନ ତାଙ୍କର ନୂଆ ବିବାଦ ସାମ୍ନାକୁ ଆସୁଛି।
ଏହି କ୍ରମରେ ଶନିବାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟପାଳ ପଦବୀରେ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଉଦ୍ଧବ କହିଛନ୍ତି ଯେ, ରାଜ୍ୟରେ ରାଜ୍ୟପାଳ ପଦ ପାଇଁ ବ୍ୟକ୍ତିଙ୍କୁ ଚୟନ କରିବାରେ କିଛି ମାନଦଣ୍ଡ ରଖିବା ଆବଶ୍ୟକ। ସେ ଆହୁରି କହିଛନ୍ତି ଯେ, ଛତ୍ରପତି ଶିବାଜୀ ମହାରାଜ, ସମାଜ ସୁଧାରକ ଜ୍ୟୋତିଷ ଫୁଲେ ଏବଂ ସାବିତ୍ରୀବାଇ ଫୁଲେଙ୍କ ଭଳି ବ୍ୟକ୍ତିଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶଆରି ଅପମାନିତ କରିଛନ୍ତି। ଏହାପରେ ବି ସେ ପଦରେ ରହିଛନ୍ତି। ଠାକରେ କହିଛନ୍ତି, ‘ରାଜ୍ୟପାଳ ରାଷ୍ଟ୍ରପତିଙ୍କ ପ୍ରତିନିଧି ରହିଥାନ୍ତି। ଏଥିପାଇଁ ଏହି ପଦରେ କେଉଁଭଳି ବ୍ୟକ୍ତିଙ୍କୁ ନିଯୁକ୍ତ କରାଯିବ ତାର ମାନଦଣ୍ଡ ରହିବା ଆବଶ୍ୟକ। ମୁଁ ଦାବି କରୁଛି ରାଜ୍ୟପାଳଙ୍କ ନିଯୁକ୍ତି ପାଇଁ କିଛି ମାନଦଣ୍ଡ ନିର୍ଦ୍ଧାରଣ କରାଯାଉ। ଯାହାଦ୍ୱାରା ଯୋଗ୍ୟ ବ୍ୟକ୍ତି ଏହି ପଦଵୀରେ ବସି ପାରିବେ’।
ଅନ୍ୟପଟେ ମୁମ୍ୱାଇ ଓ କାଲୋନୀରେ ମେଟ୍ରୋ ରେଳ କାରସେଡକୁ ନେଇ ଚାଲିଥିବା ବିବାଦ ଉପରେ ମହରାଷ୍ଟ୍ର ସରକାରଙ୍କ ଉପରେ ଠାକରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ଏହି ସୁବିଧା କାଞ୍ଜୁରମାର୍ଗରେ ନିର୍ମାଣ ହୋଇପାରିଥାନ୍ତା ହେଲେ ଏହାପରେ ଧ୍ୟାନ ଦିଆଯାଇ ନାହିଁ।