ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୋଦୀଙ୍କୁ ଆତଙ୍କବାଦୀ କହିବା ପଡ଼ିଲା ମହଙ୍ଗା । କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଇସି ନୋଟିସ୍‌ ଏବଂ ୨୪ ଘଣ୍ଟା ମଧ୍ୟରେ ଜବାବ ମାଗିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଖଡ଼ଗେଙ୍କ ଆତଙ୍କବାଦୀ ଟିପ୍ପଣୀକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଜୁନରାମ ମେଘୱାଲ ଓ ଅନ୍ୟ ବିଜେପି ନେତା ନିର୍ବାଚନ କମିସନଙ୍କୁ ଭେଟିଥିଲେ। ଖଡ଼ଗେଙ୍କର ଏହି ଟିପ୍ପଣୀ ନିର୍ବାଚନୀ ନିୟମର ଘୋର ଉଳ୍ଲଂଘନ କରୁଥିବା କହି ଇସି ମଧ୍ୟ ଖଡ଼ଗେଙ୍କଠାରୁ ୨୪ ଘଣ୍ଟା ମଧ୍ୟରେ ଜବାବ ମାଗିଛନ୍ତି। ତେବେ ଖଡ଼ଗେ ଚେନ୍ନାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ମୋଦୀଙ୍କୁ ‘ଆତଙ୍କବାଦୀ’ କହିଥିଲେ। ଏଆଇଏଡିଏମ୍‌କେ ବିଜେପି ସହ ମେଣ୍ଟ କରିବା ନିଷ୍ପତ୍ତି ଉପରେ ଟିପ୍ପଣୀ ରଖି ଖଡ଼ଗେ କହିଥିଲେ, ‘ଏଆଇଏଡିଏମ୍‌କେର ଏହି ଲୋକମାନେ କିଭଳି ଆନ୍ନାଦୁରାଇଙ୍କ ବିଚାରଧାରାକୁ ପାଳନ କରି ମୋଦୀଙ୍କ ସହ ହାତ ମିଳାଇଛନ୍ତି। ସେ ଜଣେ ଆତଙ୍କବାଦୀ। ତାଙ୍କ ଦଳ ସମାନତା ଓ ନ୍ୟାୟରେ ବିଶ୍ବାସ କରେ ନାହିଁ। ଏହି ଲୋକମାନେ ସେମାନଙ୍କ ସହ ଯୋଗ ଦେଇଛନ୍ତି। ଏହାର ଅର୍ଥ ହେଉଛି ସେମାନେ ଗଣତନ୍ତ୍ରକୁୁ ଦୁର୍ବଳ କରିଦେଇଛନ୍ତି। ସେମାନେ ଆନ୍ନାଦୁରାଇ, କାମରାଜ, ପେରିୟାର, ବାବା ସାହେବ ଆମ୍ବେଦକରଙ୍କ ଆଦର୍ଶକୁ ଦୁର୍ବଳ କରିଦେଇଛନ୍ତି ବୋଲି ଖଡଗେ କହିଥିଲେ।