ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ-ତାମିଲନାଡୁ ବିଧାନସଭା ପାଇଁ ଭୋଟିଂ ଆରମ୍ଭ । ୧୬ ଜିଲାରେ ହେବାକୁ ଥିବା ଏହି ମତଦାନ ୪୪,୩୭୬ଟି ବୁଥ୍ରେ ଅନୁଷ୍ଠିତ ହେଉଛି। ଶାନ୍ତିପୂର୍ଣ୍ଣ ମତଦାନ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ ୪୦୭ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ନିୟୋଜିତ ହୋଇଛନ୍ତି। ସବୁ ବୁଥ୍ରେ ଓ୍ବେବ୍କାଷ୍ଟିଂ କରାଯିବ। ଏହି ପର୍ଯ୍ୟାୟରେ ୩.୬୦ କୋଟି ଯୋଗ୍ୟ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେଥିରୁ ୧.୮୪ କୋଟି ପୁରୁଷ, ୧.୭୫ କୋଟି ମହିଳା ଏବଂ ୪୬୫ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ମାଲଦା, ମୁର୍ଶିଦାବାଦ, ଉତ୍ତର ଦିନାଜପୁର, କୁଚ୍ବିହର, ବୀରଭୂମ ଓ ବର୍ଦ୍ଧମାନ ଭଳି କେତେକ ଜିଲା ଆଂଶିକ ସମ୍ବେଦନଶୀଳ ହୋଇଥିବାବେଳେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଶୁଭେନ୍ଦୁ ଅଧିକାରୀ (ଭାଜପା), ନିଶିଥ ପ୍ରାମାଣିକ(ଭାଜପା), ଉଦୟନ ଗୁହା(ଟିଏମ୍ସି) ଗୌତମ ଦେବ (ଟିଏମ୍ସି) ଏବଂ ଅଧୀର ରଞ୍ଜନ ଚୌଧୁରୀ (କଂଗ୍ରେସ) ପ୍ରମୁଖ ରହିଛନ୍ତି। ସେପଟେ ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭା ପାଇଁ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ୪,୧୮,୫୪୧ଟି ପୋଷ୍ଟାଲ ଭୋଟ ରେକର୍ଡ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ରାଜ୍ୟର ୫.୭୩ କୋଟି ଭୋଟର ଗୁରୁବାର ୭୫,୦୬୪ଟି ମତଦାନ କେନ୍ଦ୍ରରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଅବାଧ ମତଦାନ ପାଇଁ ୧,୦୬,୪୧୮ ଇଭିଏମ୍ ବ୍ୟବହାର କରାଯାଉଥିବାବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି।
