ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସସ୍ମିତ୍ ପାତ୍ର । ତେବେ ଏଆଇଏଡିଏମ୍କେ ଓ ବିଜେଡିର ଛଅ ଜଣ ସଦସ୍ୟ ମନୋନୀତ ହୋଇଛନ୍ତି। ପୁନର୍ଗଠିତ କମିଟିରେ ବିଜେପିର ଦୀନେଶ ଶର୍ମା, ଏସ୍ ଫାଙ୍ଗନୋନ୍ କୋନ୍ୟାକ୍ ଓ ଘନଶ୍ୟାମ ତିୱାରୀ ରହିଛନ୍ତି। କଂଗ୍ରେସରୁ ଫୁଲୋ ଦେବୀ ନେତମ, ଏଆଇଏଡିଏମକେରୁ ଏମ୍ ଥାମ୍ବିଦୁରାଇ ଓ ବିଜେଡିର ସସ୍ମିତ ପାତ୍ର ପ୍ୟାନେଲରେ ଅଛନ୍ତି। ରାଜ୍ୟସଭା ମହାସଚିବ ପିସି ମୋଦୀ ଗୃହରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ସେପଟେ ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଅନୁପସ୍ଥିତ ଥିବା ସମୟରେ ପ୍ୟାନେଲର ସଦସ୍ୟମାନଙ୍କୁ ଗୃହରେ ଅଧ୍ୟକ୍ଷତା କରିବାକୁ ଆହ୍ବାନ କରାଯାଏ। ଅଧ୍ୟକ୍ଷ ଥିବା ସମୟରେ, ସେମାନେ ଅଧ୍ୟକ୍ଷଙ୍କ ପରି ସମାନ କ୍ଷମତା ପ୍ରୟୋଗ କରନ୍ତି-ଶୃଙ୍ଖଳା ବଜାୟ ରଖିବା, ବିତର୍କକୁ ନିୟନ୍ତ୍ରଣ କରିବା ଏବଂ ଅଧିବେଶନ ସମୟରେ ଗୃହର ସୁପରିଚାଳନା ସୁନିଶ୍ଚିତ କରିବା। ଉପାଧ୍ୟକ୍ଷ ଏକ ସ୍ଥାୟୀ ସାମ୍ବିଧାନିକ ପଦବୀ ହୋଇଥିବା ବେଳେ ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟମାନେ ଆବଶ୍ୟକତା ଅନୁଯାୟୀ ପାଳି କରି ଅଧ୍ୟକ୍ଷତା କରନ୍ତି।
