ଏଣିକି ଅପହଞ୍ଚ ଅଞ୍ଚଳକୁ ଯାଇ ନିର୍ବାଚନ କରାଉଥିବା ଅଧିକାରୀଙ୍କୁ ମିଳିବ ଦୁଇ ଗୁଣ ଭତ୍ତା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ଅପହଞ୍ଚ ଅଞ୍ଚଳକୁ ଯାଇ ନିର୍ବାଚନ କରାଉଥିବା ଅଧିକାରୀଙ୍କୁ ମିଳିବ ଦୁଇ ଗୁଣ ଭତ୍ତା । ତେବେ ଅପହଞ୍ଚ ବା ଦୁର୍ଗମ ଅଞ୍ଚଳକୁ ଯାଇ ସୁରୁଖୁରୁରେ ନିର୍ବାଚନ ସମ୍ପାଦନ କରୁଥିବା ନିର୍ବାଚନ ଅଧିକାରୀଙ୍କୁ ପ୍ରୋତ୍ସାହନ କରିବାକୁ ଜାତୀୟ ନିର୍ବାଚନ ଆୟୋଗ ଆଜି ଏପରି ଏକ ବଡ ଘୋଷଣା କରିଛନ୍ତି । ଆୟୋଗ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି ଏବଂ ତୁରନ୍ତ କର୍ମଚାରୀଙ୍କ ଭତ୍ତାକୁ ଦ୍ୱିଗୁଣିତ କରିବାର ନିଷ୍ପତ୍ତି କାର‌୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆୟୋଗ ଚିଠିରେ ଲେଖିଛନ୍ତି ଯେ ଯେଉଁ ସବୁ ଦୁର୍ଗମ ଅଞ୍ଚଳରେ ଥିବା ମତଦାନ କେନ୍ଦ୍ରକୁ ତିନିଦିନ ପୂର୍ବରୁ ନିର୍ବାଚନ ଅଧିକାରୀ ଓ ସହକର୍ମୀ ଯାଇଥାନ୍ତି, ସେହି ସବୁ କର୍ମଚାରୀଙ୍କ ଭତ୍ତା ଦୁଇ ଗୁଣ କରାଯାଉ ।

ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଉଥିବା କର୍ମଚାରୀଙ୍କୁ ଯେତିକି ଭତ୍ତା ଦିଆଯାଉଛି, ସେମାନଙ୍କ ଅପେକ୍ଷା ଏହି ସବୁ କର୍ମଚାରୀଙ୍କୁ ଦୁଇଗୁଣ ଭତ୍ତା ଦିଆଯିବ । ପୂର୍ବରୁ ଏହି ଭତ୍ତା ସମସ୍ତ କର୍ମଚାରୀଙ୍କ ପାଇଁ ସମାନ ଭାବରେ ଉପଲବ୍ଧ ଥିଲା । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଉତ୍ତରାଖଣ୍ଡର ଉଚ୍ଚ ସ୍ଥାନରେ ନିର୍ମିତ ମତଦାନ କେନ୍ଦ୍ର ପରିଦର୍ଶନ କରିବା ପରେ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି। ରାଜୀବ କୁମାର ଟ୍ରାକିଂ କରି ଏହି ମତଦାନ ବୁଥରେ ପହଞ୍ଚିଥିଲେ। ଆଉ ଏହି ମତଦାନ କେନ୍ଦ୍ରରୁ ଫେରିବା ପରେ ମୁଖ୍ୟ ନିର୍ବାଚନ କମିଶନର କହିଥିଲେ ଯେ ମତଦାନ କର୍ମଚାରୀଙ୍କ କଠିନ ପରିଶ୍ରମକୁ ଦୃଷ୍ଟିରେ ରଖି ସେମାନଙ୍କୁ ଅଧିକ ଦରମା ମିଳିବା ଉଚିତ୍। ସେହିପରି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ଯେ ଜିଲ୍ଲା ନିର୍ବାଚନ ଅଧିକାରୀ ଦୁର୍ଗମ ଅଞ୍ଚଳକୁ ମଧ୍ୟ ପରିଦର୍ଶନ କରିବାକୁ ପଡିବ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts