ରାଜଧାନୀରେ ଉତ୍ପାତ କରୁଛି ନରହନ୍ତା ଦନ୍ତା: ଦନ୍ତା ଆକ୍ରମଣରେ ଜଣେ ମହିଳା ଗୁରୁତର, ଏମ୍ସରେ ଭର୍ତ୍ତି

ଭୁବନେଶ୍ୱର: ପୁରୀ ଜିଲ୍ଲାର ପିପିଲି ଅଞ୍ଚଳରେ ନରହନ୍ତା ଦନ୍ତାର ଉତ୍ପାତ ଜାରି ରହିଛି । ଦନ୍ତା ହାତୀ ଦୀର୍ଘ ୪୮ ଘଣ୍ଟା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଉତ୍ପାତ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରୁଛି । ଡିଏଫଓ ସୁଦୀପ ନାୟକ, ରେଞ୍ଜର ଜୟକୃଷ୍ଣ ଯଦୁମଣି, ଏସିଏଫ ଗୋବିନ୍ଦ ଚନ୍ଦ୍ରଙ୍କ ନେତୃତ୍ୱରେ ବନ ବିଭାଗର ପ୍ରାୟ ୫୦ ଜଣ କର୍ମଚାରୀ ହାତୀ ଘଉଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ବନ ବିଭାଗକୁ ପୋଲିସ ମଧ୍ୟ ସହାୟତା କରୁଛି ।

ଦନ୍ତା ହାତୀ ଗତକାଲି ମୋଟ ୧୦ ଜଣଙ୍କୁ ଆକ୍ରମଣ କରିବା ପରେ ରାତି ସାରା ପିପିଲି, ଜଟଣୀ, ଡେଲାଙ୍ଗା ଓ ବାଲିପାଟଣା ଅଞ୍ଚଳରେ ଲୋକମାନେ ଆତଙ୍କିତ ହୋଇଯାଇଥିଲେ । ହାତୀ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୬ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ହେଲେ ମାଟିଘର ଗାଁର ମକର ପଲେଇ, ଗୋବୀନାଥପୁର ପଞ୍ଚାୟତର ଯୁଗଳ କିଶୋର ଭଟ୍ଟ, ରାଜତେଇ ଗାଁର ଚୈତନ୍ୟ ସାହୁ ଓ ଜମାଲପୁର ଗାଁର ଅଜୟ କୁମାର ନାୟକ ।

ବନ ବିଭାଗର କର୍ମଚାରୀମାନେ ରାତି ସାରା ହାତୀ ଘଉଡାଇବାକୁ ଉଦ୍ୟମ କରିଥିଲେ । ଆଜି ସକାଳୁ ମଧ୍ୟ ହାତୀ ପଛରେ ପଡ଼ିଥିଲା ବନ ବିଭାଗ । କିନ୍ତୁ କୁହୁଡି ଯୋଗୁଁ ହାତୀ ଅଦୃଶ୍ୟ ହୋଇଯାଇଥିବାରୁ ଘଉଡାଇବାରେ ଅସୁବିଧା ହୋଇଥିଲା ।

Related Posts