ନରସିଂହପୁର ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା; ତଦନ୍ତ ପାଇଁ ଗଠନ ହେଲା ସ୍ବତନ୍ତ୍ର ଇନଭେଷ୍ଟିଗେସନ ଟିମ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଟକ ଜିଲ୍ଲା ନରସିଂହପୁର ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ଜଙ୍ଗଲରେ ହାତୀ ମୃତ୍ୟୁ ଓ କଙ୍କାଳ ମିଳିବା ଘଟଣାର ସମସ୍ତ ତଦନ୍ତ ପାଇଁ ସ୍ବତନ୍ତ୍ର ଇନଭେଷ୍ଟିଗେସନ ଟିମ୍ (ଏସ୍ଏଟି) ଗଠନ ହୋଇଛି। ଏନେଇ ପିସିସିଏଫ୍ ସୂଚନା ଦେଇଛନ୍ତି। ଉଚ୍ଚସ୍ତରୀୟ ତଦନ୍ତକାରୀ ୩ ଜଣିଆ ଟିମ୍ରେ ସିସିଏଫ୍, ଆରସିସିଏଫ ଓ କଞ୍ଜରଭେଟର ରହିବେ। ସେହିପରି ତଦନ୍ତରେ କ୍ରାଇମବ୍ରାଞ୍ଚର ଡିଏସ୍ପି ବା ତର୍ଦୁଦ୍ଧ ରାଙ୍କର ଜଣେ ଅଧିକାରୀ ରହିବେ। ନରସିଂହପୁର ଜଙ୍ଗଲରେ ହାତୀମୃତ୍ୟୁ ଘଟଣା ନେଇ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଅବଗତ ହୋଇଛନ୍ତି।

ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଟୁଇଟ କରି ଉଦବେଗ ପ୍ରକାଶ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, କେନ୍ଦ୍ର ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ସଂପୃକ୍ତ ଥିବା ଲୋକଙ୍କ ପ୍ରତି କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ସେପଟେ ନରସିଂହପୁର ଜଙ୍ଗଲରେ ବିଗତ ୪ ମାସ ମଧ୍ୟରେ ମୋଟ ୯ଟି ହାତୀ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏଥିରେ ରହିଛି ୪ଟି ହାତୀ କଙ୍କାଳ। ଏହି ୪ଟି ହାତୀ କଙ୍କାଳ ଭିତରୁ ୨ଟି ଦନ୍ତା ଥିବା ବେଳେ ଅନ୍ୟ ୨ଟି ମାଈ ହାତୀ ରହିଥିଲା ।

Related Posts