ସମ୍ବଲପୁର ସାପଲହରା ଗାଁ ପୋଖରୀରେ ହାତୀ ମୃତ୍ୟୁ ଘଟଣା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଶରୀରରେ ଗୁଳି ଥିବା ସ୍ପଷ୍ଟ

ସମ୍ୱଲପୁର: ସମ୍ବଲପୁର ସାପଲହରା ଗାଁ ପୋଖରୀରେ ହାତୀ ମୃତ୍ୟୁ ଘଟଣା ର ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ହାତୀକୁ ହୋଇଥିଲା ଗୁଳିମାଡ଼। ପୋଷ୍ଟମର୍ଟମ ବେଳେ ହାତୀ ଶରୀରରେ ଗୁଳି ଥିବା ସ୍ପଷ୍ଟ ହୋଇଛି । ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଡିଏଫ୍‌ଓ ବିଶ୍ୱନାଥ ନୀଳାମ୍ୱରନ୍‌। ଏହା ପରେ ତତ୍ପର ହୋଇଛି ବନ ବିଭାଗ। ବିଭିନ୍ନ ଦଫାରେ ମାମଲା ରୁଜୁ ୩ ଜଣ ଶିକାରୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ଡିଏଫ୍‌ଓ କହିଛନ୍ତି।

ସମ୍ୱଲପୁର ଡିଏଫ୍‌ଓ ବିଶ୍ୱନାଥ ନୀଳାମ୍ୱରନ୍‌ଙ୍କ କହିବା ଅନୁସାରେ ଗୁଳି ମାଡ଼ରେ ଆହତ ହୋଇ ଗୋଟିଏ ଦନ୍ତାହାତୀ ଜଙ୍ଗଲରେ ଝୁଣ୍ଟି ଝୁଣ୍ଟି ଚାଲୁଥିବା ନେଇ ମେ’ ୨୮ ତାରିଖ ଖବର ଆସିଥିଲା। ସେହି ତଥ୍ୟକୁ ଆଧାର କରି ବନ ବିଭାଗ ଓ ପଶୁ ଡାକ୍ତର ଟିମ୍‌ ଜଙ୍ଗଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଜୁନ୍‌ ୨ ତାରିଖରେ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ ଚିକିତ୍ସା କରାଯାଇଥିଲା। ହାତୀ ଦେହରେ ଗୁଳି ଅଛି କି ନାହିଁ ଜାଣିବା ପାଇଁ ଚିକିତ୍ସା ପରେ ମେଟାଲ୍‌ ଡିଟେକ୍ଟର ବ୍ୟବହାର କରାଯାଇଥିଲା। ମାତ୍ର ସେଥିରେ କିଛି ବାହାରିନଥିଲା। ହାତୀ ଖିଆ ପିଆ କରିବା ପରେ ଛାଡ଼ି ଦିଆଯାଇଥିଲା ବୋଲି ଡିଏଫ୍‌ଓ କହିଛନ୍ତି।

ସେ ଆହୁରି କରିଛନ୍ତି, ଜୁନ ୧୭ ତାରିଖରେ ସେହି ଦନ୍ତାହାତୀଟି ସମ୍ବଲପୁର ସାପଲହରା ଗାଁ ପାର୍ଶ୍ୱ ପୋଖରୀରେ ଫସି ଯାଇଥିଲା। ତା’ପର ଦିନ ଅର୍ଥାତ ୧୮ ତାରିଖରେ ବିଶେଷଜ୍ଞଙ୍କ ପରାମର୍ଶରେ ପୋଖରୀ ଭିତରେ ହାତୀକୁ ଚିକିତ୍ସା କରାଯାଇଥିଲା। ସେତେବେଳେ ମଧ୍ୟ ମେଟାଲ ଡିଟେକ୍ଟରରେ ଯାଞ୍ଚ କରାଯାଇଥିଲା। ଚିକିତ୍ସା ଚାଲିଥିଲେ ମଧ୍ୟ ହାତୀର ସ୍ୱାସ୍ଥ୍ୟାବସ୍ଥାର କୌଣସି ଉନ୍ନତି ଘଟିନଥିଲା। ହାତୀଟି ଖାଉନଥିଲା। ଏହା ପରେ ପୁଣି ଥରେ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଥିଲା। ବିଶେଷଜ୍ଞଙ୍କ ପରାମର୍ଶ ଗତ ୨୧ ତାରିଖରେ ହାତୀକୁ ପୋଖରୀ ତୁଠକୁ ଆଣାଯାଇଥିଲା। ଏହା ପରେ ହାତୀ ମୃତ ବୋଲି ପ୍ରାଣୀ ଚିକିତ୍ସକ ଘୋଷଣା କରିଥିଲେ ବୋଲି ଡିଏଫ୍‌ଓ କହିଛନ୍ତି।

ଡିଏଫ୍‌ଓ ନୀଳାମ୍ୱରନ୍‌ ଆହୁରି କହିଛନ୍ତି, ମୃତ ହାତୀର ପୋଷ୍ଟମର୍ଟମ ହୋଇଥିଲା। ହାତୀ ଶରୀରେ ହୋଇଥିବା କ୍ଷତ ସ୍ଥାନରୁ ପାଖାପାଖି ୩୫ରୁ ୪୦ ସେମି ଭିତରେ ଗୋଟିଏ ଗୁଳି ରହିଥିଲା। ସେଥିପାଇଁ ହାତୀକୁ ସେପ୍‌ଟିସେମିଆ ହୋଇଯାଇଥିଲା। ହାତୀର ହାର୍ଟ, ଲଙ୍ଗ୍‌ସ ଓ ଲିଭର କାମ କରିବା ବନ୍ଦ ହୋଇଯାଇଥିଲା। ସେଥିପାଇଁ ହାତୀର ମୃତ୍ୟୁ ଘଟିଥିଲା।

Related Posts