ମୂର୍ତ୍ତିର ଉଚ୍ଚତା ବୃଦ୍ଧି ଓ ପରଦା ଢଙ୍କା ପୂଜା ପ୍ରସଙ୍ଗ: ୨ ଦିନ ଭିତରେ ସରକାର ନେବେ ନିଷ୍ପତ୍ତି !

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ମୂର୍ତ୍ତିର ଉଚ୍ଚତା ବୃଦ୍ଧି ଓ ପରଦା ଢଙ୍କା ପୂଜା କଟକଣା ପ୍ରସଙ୍ଗକୁ ନେଇ କଟକରେ ଜନଆନ୍ଦୋଳନ ଦାନା ବାନ୍ଧିବା ପରେ, ଚାପରେ ପଡ଼ି ସରକାର ଆଲୋଚନାକୁ ଓହ୍ଲାଇଛନ୍ତି। ବୁଧବାର କଟକ ମହାନଗର ପୂଜା କମିଟି, ମହାନଗର ଶାନ୍ତି କମିଟି ଓ ପୁର୍ବାଞ୍ଚଳ ଶାନ୍ତି କମିଟି ସହିତ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ସଚିବାଳୟରେ ବୈଠକ ଶେଷ ହୋଇଛି । ମୂର୍ତ୍ତିର ଉଚ୍ଚତା କେତେ ଫୁଟ ରହିବ, ଏନେଇ ଆସନ୍ତା ଦୁଇଦିନ ଭିତରେ ସରକାର ନିଷ୍ପତ୍ତି ନେବେ । 

ମୂର୍ତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ବସିଥିବା ବୈଠକରେ ଆଲୋଚନା ପରେ ସୂଚନା ଦେଇଛନ୍ତି ମହାନଗର ଶାନ୍ତି କମିଟି ମୁଖ୍ୟ ପ୍ରଭାତ ରଞ୍ଜନ ତ୍ରିପାଠୀ । ସେହିପରି ଦୁର୍ଗାପୂଜାକୁ ଆହୁରି ଗୋଟିଏ ମାସରୁ ଅଧିକ ସମୟ ବାକି ରହିଥିବା କାରଣରୁ ସେ ସମୟର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଦର୍ଶନ ଉପରେ ସରକାର ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । 

ଅପରପକ୍ଷରେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ପ୍ରସଙ୍ଗରେ ସରକାର ପୂଜା କମିଟି ସହ ବୈଠକ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ପୂଜା କମିଟି । ଦୁର୍ଗାପୂଜା ସହ ଲୋକଙ୍କର ଭାବାବେଗ ଜଡିତ ଥିବାରୁ ସରକାର ସଠିକ୍ ନିଷ୍ପତ୍ତି ନେବା ଉଚିତ୍ ବୋଲି କମିଟି ପକ୍ଷରୁ କୁହାଯାଇଛି । ସଂକ୍ରମଣ ହ୍ରାସ ପାଉଥିବାରୁ ମନ୍ଦିର ଦର୍ଶନ ପାଇଁ ଅନୁମତି ମିଳିଥିବା ବେଳେ ଦୁର୍ଗାପୂଜାରେ ମଧ୍ୟ ଭକ୍ତଙ୍କୁ ଅନୁମତି ମିଳିବା ନେଇ ଚାପ ସୃଷ୍ଟି ହୋଇଛି। କିନ୍ତୁ ସେତେବେଳେ ସଂକ୍ରମଣର ସ୍ଥିତିକୁ ଦେଖି ସରକାର ନିଷ୍ପତ୍ତି  ନେବେ ବୋଲି ମହାନଗର ଶାନ୍ତି କମିଟି ମୁଖ୍ୟ ପ୍ରଭାତ ରଞ୍ଜନ ତ୍ରିପାଠୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ପୂଜା ଗାଇଡଲାଇନକୁ ନେଇ ବିଧାନସଭାରେ ମଧ୍ୟ ହୋହାଲ୍ଲା ହଙ୍ଗାମା ହୋଇଥିଲା । ମୂର୍ତି ଉଚ୍ଚତା ବୃଦ୍ଧି ଓ ତିନି ପାଶ୍ୱର୍ରୁ ପରଦା ଉଠାଇବା ଦାବିରେ ପ୍ରଶ୍ନକାଳ ସରିବା ପରେ କଂଗ୍ରେସ ବିଧାୟକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ପ୍ରତିବାଦ ମଧ୍ୟ କରିଥିଲେ । ସେପଟେ ବିଜେପି ମଧ୍ୟ ସମାନ ଦାବି ରଖିଛି । 

Related Posts