
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ପୁଣି ଗର୍ଜିଲା ସେନା ଗୁଳି । ୩ ଆତଙ୍କବାଦୀ ସଫା । ସେନା ଗୁଳିରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ଫଳରେ ସେନାକୁ ବଡ଼ ସଫଳତା ମିଳିଛି । ସେମାନଙ୍କ ଠାରୁ ବ୍ୟାପକ ଗୋଳା ବାରୁଦ ଓ ଅସ୍ତ୍ର ଶସ୍ତ୍ର ଜବତ କରାଯାଇଛି ।
ସୂଚନାନୁସାରେ, ଜମ୍ମୁ-କାଶ୍ମୀରର କୁପଓ୍ୱାଡା ସେକ୍ଟରରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା । ସେମାନେ ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ଏହି ସମୟରେ ସେନା ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା । ତେବେ ସେନା ଗୁଳିରେ ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି । ଦୀର୍ଘ ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଏନକାଉଣ୍ଟର ଚାଲିଥିଲା ।
ଘଟଣାକୁ ନେଇ ଆଇଜିପି ବିଜୟ କୁମାର କହିଛନ୍ତି ଯେ, ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ । ତେବେ ସେମାନେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଏନକାଉଣ୍ଟର ହୋଇଥିଲା । ସେମାନଙ୍କଠାରୁ ବନ୍ଧୁକ, ଗ୍ରେନେଡ୍ ଆଦି ଜବତ କରାଯାଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ବୁଧବାର ମଧ୍ୟ ବାରାମୂଳା ସେକ୍ଟରରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୩ ପାକିସ୍ତାନୀ ଆତଙ୍କବାଦୀ ସଫା ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଥିଲେ ।
ଉଲ୍ଲେଖଯୋଗ୍ୟ, କେତେକ ସାମାଜିକ ଗଣମାଧ୍ୟମ ‘ପ୍ଲାଟ୍ଫର୍ମ’ରେ ନିଜସ୍ବ ଗୀତ ‘ଅପ୍ଲୋଡ୍’ କରୁଥିବା ଜଣେ ଟେଲିଭିଜନ କଳାକାରଙ୍କୁ ‘ଲଶ୍କର୍-ଏ-ତୈବା’ର ଆତଙ୍କବାଦୀମାନେ ହତ୍ୟା କରିବାର ଦିନକ ପରେ ଉପରୋକ୍ତ ଏନ୍କାଉଣ୍ଟର୍ ଘଟିଛି।