
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅଲ ଇଣ୍ଡିଆ କାଉନସିଲ ଫର ଟେକ୍ନିକାଲ ଏଜୁକେସନ୍ (AICTE) ପକ୍ଷରୁ ଜାରି ନୂତନ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଅଣ୍ଡର ଗ୍ରାଜୁଏଟ, ଗ୍ରାଜୁଏଟ ଏବଂ ଡିପ୍ଲୋମା ସ୍ତରରେ ଇଞ୍ଜିନିୟରିଂ ସିଟ୍ ସଂଖ୍ୟା 23 ଲକ୍ଷ 28 ହଜାରକୁ ହ୍ରାସ ପାଇଛି । ଯାହାକି ଗତ ବର୍ଷ 10 ବର୍ଷ ମଧ୍ୟରେ ସର୍ବନିମ୍ନ ଅଟେ।
ତେବେ 2015-16 ଶିକ୍ଷା ବର୍ଷରୁ ଏଭଳି ସିଟ୍ ସଂଖ୍ୟା ହ୍ରାସ ପାଉଥିବାର ଦେଖିବାକୁ ମିଳୁଛି। ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ହୋଇଯିବା ଏବଂ ଆଡମିଶନ କ୍ଷମତାରେ କମି କାରଣରୁ ଇଞ୍ଜିନିୟରିଂରେ 1.46 ଲକ୍ଷ ସିଟ୍ ହ୍ରାସ ପାଇଛି।
ସିଟ୍ ସଂଖ୍ୟା ହ୍ରାସ ପାଉଥିବା ସତ୍ତ୍ୱେ ଦେଶରେ ବୈଷୟିକ ଶିକ୍ଷା (ସ୍ଥାପତ୍ୟ, ମ୍ୟାନେଜମେଣ୍ଟ , ହୋଟେଲ ମ୍ୟାନେଜମେଣ୍ଟ ଏବଂ ଫାର୍ମାସି) ରେ ଇଞ୍ଜିନିୟରିଂ ସବୁଠାରୁ ଅଧିକ ଆଡମିଶନ ହେଉଥିବା ପାଠ୍ୟକ୍ରମ ।ବର୍ତ୍ତମାନ ଇଞ୍ଜିନିୟରିଂରେ ପ୍ରାୟ 80 ପ୍ରତିଶତ ସିଟ୍ କେବଳ ବୈଷୟିକ ଶିକ୍ଷା କ୍ଷେତ୍ରରେ ରଖାଯାଇଛି।
2014-15 ରେ, ଯେତେବେଳେ ଇଞ୍ଜିନିୟରିଂ ପାଠ୍ୟକ୍ରମ ସବୁଠାରୁ ପିକ୍ ରେ ଥିଲା, ସମସ୍ତ AICTE ଅନୁମୋଦିତ ଅନୁଷ୍ଠାନଗୁଡିକରେ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ପ୍ରାୟ 32 ଲକ୍ଷ ସିଟ୍ ଥିଲା । କିନ୍ତୁ ଗତ ସାତ ବର୍ଷ ହେବ ସିଟ୍ ସଂଖ୍ୟା ହ୍ରାସ ପାଉଛି। ପ୍ରାୟ ସାତ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏକୀକରଣ ପ୍ରକ୍ରିୟା ଯୋଗୁଁ ପ୍ରାୟ 400 ଇଞ୍ଜିନିୟରିଂ କଲେଜ ବନ୍ଦ ହୋଇଯାଇଥିଲା। ଗତ ବର୍ଷ କୋଭିଡ ମହାମାରୀ ଅବଧିକୁ ବାଦ୍ ଦେଲେ 2015-16 ଶିକ୍ଷା ବର୍ଷ ପରଠାରୁ ପ୍ରତିବର୍ଷ ଅତି କମରେ 50 ଟି ଇଞ୍ଜିନିୟରିଂ ପ୍ରତିଷ୍ଠାନ ବନ୍ଦ ହେଉଛି। ତେବେ ଚଳିତ ବର୍ଷ ମଧ୍ୟ 63 ଟି ଇଞ୍ଜିନିୟରିଂ କଲେଜ ବନ୍ଦ ହୋଇଛି।
ଏତଦ୍ ବ୍ୟତୀତ ନୂତନ ଇଞ୍ଜିନିୟରିଂ କଲେଜ ଖୋଲିବା ପାଇଁ ବୈଷୟିକ ଶିକ୍ଷା ନିୟାମକଙ୍କ ଅନୁମୋଦନ ମଧ୍ୟ ପାଞ୍ଚ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । 2019 ମସିହାରେ AICTE ଘୋଷଣା କରିଥିଲା ଯେ 2020-21 ରୁ ଆରମ୍ଭ ହେଉଥିବା ନୂତନ ଅନୁଷ୍ଠାନଗୁଡିକ ଉପରେ ଦୁଇ ବର୍ଷର ମହଲତ୍ ଘୋଷଣା କରିଥିଲା। ଆଇଆଇଟି-ହାଇଦ୍ରାବାଦ ଅଧ୍ୟକ୍ଷ ବି.ଭି.ଆର ମୋହନ ରେଡ୍ଡୀଙ୍କ ନେତୃତ୍ୱରେ ଏକ ସରକାରୀ କମିଟିର ସୁପାରିଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇ ଥିଲା।
2021-22 ଶିକ୍ଷାବର୍ଷ ପାଇଁ AICTE ପକ୍ଷରୁ 54 ଟି ନୂତନ ଅନୁଷ୍ଠାନକୁ ଅନୁମୋଦନ କରାଯାଇଛି । AICTE ଚେୟାରମ୍ୟାନ ଅନିଲ ସାହସ୍ରାବୁଦେ ଇଣ୍ଡିଆନ୍ ଏକ୍ସପ୍ରେସକୁ କହିଛନ୍ତି ଯେ ପଛୁଆ ଜିଲ୍ଲା ଗୁଡିକରେ ପୂର୍ବରୁ ପାଇପଲାଇନରେ ଥିବା ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ପାଇଁ ଏହି ଆପ୍ରୁଭାଲ ଦିଆଯାଇଛି। ଏବଂ ରାଜ୍ୟ ସରକାର ମଧ୍ୟ ନୂଆ ଅନୁଷ୍ଠାନ ଆରମ୍ଭ କରିବାକୁ ଆଗ୍ରହୀ ଥିଲେ। 2017-18 ବର୍ଷରେ, 143ଟି କଲେଜ, 2018-19 ରେ 158 ଏବଂ 2019-20 ରେ 153 ଟି ନୂତନ ଅନୁଷ୍ଠାନ ଅନୁମୋଦିନ ଦିଆଯାଇଛି।