ନୂଆ ଜାତୀୟ ଶିକ୍ଷାନୀତି ସହ ମାତୃଭାଷାରେ ଇଞ୍ଜିନିୟରିଂ ଶିକ୍ଷା ଯୁବପିଢ଼ିକୁ ସଶକ୍ତ କରିବ: ଧର୍ମେନ୍ଦ୍ର ପ୍ରଧାନ

ସତ୍ୟପାଠ 28/12 ନୂଆଦିଲ୍ଲୀ: ନୂଆ ଜାତୀୟ ଶିକ୍ଷାନୀତି ସହ ମାତୃଭାଷାରେ ଇଞ୍ଜିନିୟରିଂ ଶିକ୍ଷା ଯୁବପିଢ଼ିକୁ ସଶକ୍ତ କରିବ। ଏହା ମଧ୍ୟ ଆମ ଇଞ୍ଜିନିୟରିଂ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ। ବୈଷୟିକ ପାଠ୍ୟକ୍ରମ ମାତୃଭାଷାରେ ପଢ଼ିବା ଦ୍ବାରା ପିଲାର ବୁଝିବା ଶକ୍ତି ବିକଶିତ ହେବା ସହ ମୌଳିକ ଜ୍ଞାନକୁ ପରିବର୍ଦ୍ଧିତ କରିବ । ୩୬ତମ ‘ଇଣ୍ଡିଆନ୍ ଇଞ୍ଜିନିୟରିଂ କଂଗ୍ରେସ’ରେ ଯୋଗଦେଇ ଆଜି ଏହା କହିଛନ୍ତି କେନ୍ଦ୍ର, ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଲେ, ବିକଶିତ ରାଷ୍ଟ୍ର ଜର୍ମାନି, ଚୀନ ଏହାର ସର୍ବୋତ୍କୃଷ୍ଟ ଉଦାହରଣ। ମାତୃଭାଷାରେ ବୈଷୟିକ ଶିକ୍ଷା ପ୍ରଦାନ କରାଗଲେ କୌଣସି ପ୍ରକାର ପ୍ରତିବନ୍ଧକ ରହିବ ନାହିଁ ଏବଂ ଏହା ଛାତ୍ରଛାତ୍ରୀଙ୍କୁ ଅଧିକ ସୁଯୋଗ ପ୍ରଦାନ କରିବ। ଏଆଇସିଟିଇ ଓ ଆଇଆଇଟି ଶିକ୍ଷାନୁଷ୍ଠାନ ମଧ୍ୟ ଏ ଦିଗରେ ସହଯୋଗୀ ହୋଇଛନ୍ତି। ଜାତୀୟ ଶିକ୍ଷା ନୀତି ଏ ସବୁ ଦିଗରେ କାର୍ଯ୍ୟ କରିବ। ଓଡ଼ିଶାର ଶ୍ରୀଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ଓ କୋଣାର୍କ ମନ୍ଦିର ଇଞ୍ଜିନିୟରିଂ ପୃଷ୍ଠଭୂମିର ନିଛକ୍‌ ପ୍ରମାଣ।

ଭାରତର ଜଣେ ସାଧାରଣ ନାଗରିକ ବି ଇଞ୍ଜିନିୟର୍‌ । ଅତୀତରେ ଆମ ଭୂ ଖଣ୍ଡ ବୈଷୟିକ ଜ୍ଞାନ କୌଶଳରେ ବିଶ୍ୱରେ ଆଦୃତ ଥିଲା । ପୂର୍ବରୁ ଗଭୀର ସମୁଦ୍ରରେ ବିଶାଳ ବୋଇତ ଚାଳନା, ଓଡ଼ିଶାର କୋଣାର୍କ, ଲିଙ୍ଗରାଜ ଓ ଜଗନ୍ନାଥ ମନ୍ଦିର, ତାମିଲନାଡ଼ୁ ମଦୁରାଇର ମୀନାକ୍ଷୀ ମନ୍ଦିର ଏବଂ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ହିମାଳୟରେ ପ୍ରତିଷ୍ଠିତ ମନ୍ଦିର ଭଳି କାରୁକାର୍ଯ୍ୟମୟ ବିଶାଳ ନିର୍ମାଣକଳା ବୈଜ୍ଞାନିକ ଇଞ୍ଜିନିୟରିଂ ପୃଷ୍ଠଭୂମିର ପରିପ୍ରକାଶ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଆମ ଦେଶରେ ପ୍ରଥମ ଥର ପାଇଁ ଉତ୍ପାଦନ ହୋଇଥିବା ଧାନ ଓ ଏହାକୁ ଚାଷ କରିବା ପାଇଁ ଯେଉଁ ବୈଜ୍ଞାନିକ ପଦ୍ଧତିର ବ୍ୟବହାର ହୋଇଥିଲା, ତାହା ମଧ୍ୟ ଇଞ୍ଜିନିୟରିଂର ଏକ ବ୍ୟବହାରିକ ରୂପ। ନୂତନତ୍ବ ଏବଂ ଷ୍ଟାର୍ଟଅପ୍‌କୁ ଅଧିକ ପ୍ରୋତ୍ସାହିତ କରିବା, ଏମ୍‌ଏସ୍‌ଏମ୍‌ଇ ଭିତ୍ତିକ ଉତ୍ପାଦନ ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରିବା, ଭାରତକୁ ୫ ଟ୍ରିଲିୟନ୍‌ ଡଲାରର ଅର୍ଥନୀତି ଲକ୍ଷ୍ୟ ହାସଲ ତଥା ଭାରତର ଇଞ୍ଜିନିୟରିଂ କ୍ଷମତାକୁ ସୁଦୃଢ଼ କରିବା ପାଇଁ ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍‌ର ବଡ଼ ଭୂମିକା ରହିବ ବୋଲି କେନ୍ଦ୍ର, ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

Related Posts