ଭାରତ-ପାକିସ୍ତାନ ଟେଷ୍ଟ ମ୍ୟାଚ ଆୟୋଜନ ପାଇଁ ପ୍ରସ୍ତାବ ଦେଲା ଇଂଲଣ୍ଡ କ୍ରିକେଟ ବୋର୍ଡ, ପ୍ରତିକ୍ରିୟା ରଖିଲା ବିସିସିଆଇ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୦୭ ମସିହା ପରଠାରୁ ଆଉ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳାଯାଇନାହିଁ। ଦୁଇ ଦେଶ ମଧ୍ୟରେ କୁଟନୈତିକ ସମ୍ପର୍କ ବିଗୁଡୁଥିବାରୁ ଏହା ପ୍ରତିବନ୍ଧକ ଭାବେ ଉଭା ହୋଇଛି। ଭାରତ ସରକାର ଅନୁମତି ଦେଉନଥିବାରୁ ବିସିସିଆଇ ମଧ୍ୟ କୌଣସି ଦ୍ବିପାକ୍ଷିକ ଶୃଙ୍ଖଳାର ଯୋଜନା କରୁନାହିଁ। ଏଭଳି ପରିସ୍ଥିତିରେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ନିରପେକ୍ଷ ସ୍ଥାନରେ ଭାରତ-ପାକିସ୍ତାନ ଟେଷ୍ଟ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛି। ଏହା ଦ୍ବାରା ବ୍ରିଟେନ୍‌ରେ ଭଲ ଦର୍ଶକ ହେବେ ଏବଂ ଟେଲିଭିଜନ ରାଜସ୍ବ ଦୃଷ୍ଟିରୁ ମଧ୍ୟ ଇସିବି ଫାଇଦା ପାଇବ ସେଥିପାଇଁ ଇସିବି ଏଭଳି ପ୍ରସ୍ତାବ ଦେଇଥିବା କୁହାଯାଉଛି।

ଅନ୍ୟପଟେ ଇସିବିର ଏଭଳି ପ୍ରସ୍ତାବକୁ ବିସିସିଆଇ ହସରେ ଉଡ଼ାଇ ଦେଇଛି। ଏନେଇ ଜଣେ ବିସିସିଆଇ ଅଧିକାରୀ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ‘ବର୍ତ୍ତମାନ ପରିସ୍ଥିତିରେ ଭାରତ ପାକିସ୍ତାନ ସହ କେବଳ ଆଇସିସି ପ୍ରତିଯୋଗିତାରେ ହିଁ ଖେଳିବ’ । ଉଲ୍ଲେଖଯୋଗ୍ୟ ଯେ, ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଗାମୀ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ଅକ୍ଟୋବର ୨୩ରେ ପାକିସ୍ତାନ ସହ ଖେଳି ନିଜ ବିଶ୍ୱକପ ଅଭିଯାନ ଆରମ୍ଭ କରିବ।

Related Posts