ଯେଉଁ ବ୍ୟକ୍ତି ନିଜ ବିଧାୟକଙ୍କୁ ସମ୍ଭାଳି ପାରୁନାହାଁନ୍ତି, ସେ କଂଗ୍ରେସକୁ କିପରି ସମ୍ଭାଳିବେ ?; ଗେହଲଟଙ୍କୁ କଟାକ୍ଷ କଲେ ଟି.ଏସ୍ ସିଂହଦେଓ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନେଇ ପ୍ରକ୍ରିୟା ଚାଲିଥିବା ସମୟରେ ରାଜସ୍ଥାନ କଂଗ୍ରେସରେ ରାଜନୈତିକ ସଙ୍କଟ ଦେଖାଦେଇଛି। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନେଇ ଦଳ ମଧ୍ୟରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଛତିଶଗଡର ସ୍ୱାସ୍ଥ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଟି.ଏସ୍ ସିଂହଦେଓ ଏହି ଘଟଣାକୁ ନେଇ ଗେହଲଟଙ୍କୁ କଟାକ୍ଷ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ଯେଉଁ ବ୍ୟକ୍ତି (ଗେହଲଟ) ନିଜ ବିଧାୟକମାନଙ୍କୁ ସମ୍ଭାଳି ପାରୁନାହାଁନ୍ତି, ସେ କଂଗ୍ରେସକୁ କିପରି ସମ୍ଭାଳିବେ ? ଯଦି ତାଙ୍କ ରାଜ୍ୟର ବିଧାୟକମାନେ ତାଙ୍କ କଥା ଶୁଣନ୍ତି ନାହିଁ, ତେବେ ଦଳର ନେତାମାନେ ତାଙ୍କୁ କଂଗ୍ରେସର ଅଧ୍ୟକ୍ଷ ଭାବରେ କିପରି ଶୁଣିବେ? ବୋଲି ସିଂହଦେଓ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦଳର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଏହି ନିର୍ବାଚନ ଲଢ଼ିବାକୁ ହେଲେ ତାଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିବ। ଏଭଳି ସ୍ଥିତିରେ ସଚିନ ପାଇଲଟଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବାକୁ ଦଳର ହାଇକମାଣ୍ଡ ଚାହୁଁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଗେହଲଟ ଗୋଷ୍ଠୀର ବିଧାୟକ। ସେମାନେ ଏହି ନିଷ୍ପତ୍ତି କୁ ବିରୋଧ କରି ସମୂହ ଇସ୍ତଫା ମଧ୍ୟ ଦେଇଛନ୍ତି। ତେବେ ଏହି ଇସ୍ତଫା ପଛରେ ଗେହଲଟଙ୍କ ହାତ ଥିବା ଚର୍ଚ୍ଚା ହେଉଛି। ସେଥିପାଇଁ ଦଳର କିଛି ନେତା ଏବେ ଖୋଲାଖୋଲି ଗେହଲଟଙ୍କ ଅଧ୍ୟକ୍ଷ ପ୍ରାର୍ଥୀତ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

Related Posts