ବିଶ୍ୱକପ ଅଧାରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ଡେଭିଡ ୱିଲି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଶ୍ୱକପରେ ସବୁଠାରୁ ଖରାପ ସମୟ ଦେଇ ଗତି କରୁଥିବା ଇଂଲଣ୍ଡ କ୍ରିକେଟ୍ ଦଳକୁ ଆଉ ଏକ ବଡ଼ ଝଟକା ଦେବାଭଳି ଖବର ସାମ୍ନାକୁ ଆସିଛି। ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ବିଶ୍ୱକପ ଅଧାରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୩ ବର୍ଷୀୟ ଅଲରାଉଣ୍ଡର ଡେଭିଡ ୱିଲି ସୋସିଆଲ ମିଡିଆ ମାଧ୍ୟମରେ କହିଛନ୍ତି ଯେ ବିଶ୍ୱକପ ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ।

ୱିଲିଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିଶ୍ୱକପ୍‌ରେ ମାତ୍ର ତିନୋଟି ମ୍ୟାଚ୍ ଖେଳିବାର ସୁଯୋଗ ମିଳିଛି ଯେଉଁଥିରେ ସେ ୫ଟି ୱିକେଟ୍ ନେଇଛନ୍ତି। ବାସ୍ତବରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ୱିଲିଙ୍କୁ ୨୦୨୩-୨୪ ପାଇଁ ବାର୍ଷିକ ଚୁକ୍ତିରେ ଅନ୍ତର୍ଭୁକ୍ତ କରି ନାହିଁ। ୱିଲି ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ମୁଁ ଏହି ଦିନ କେବେ ଆସୁ ଚାହୁଁ ନଥିଲି। ପିଲାଦିନରୁ ମୁଁ କେବଳ ଇଂଲଣ୍ଡ ପାଇଁ ଖେଳିବାକୁ ଚାହୁଁଥିଲି । ବହୁ ବିଚାର ପରେ ଅତ୍ୟନ୍ତ ଦୁଃଖର ସହିତ ମୁଁ ନିଷ୍ପତ୍ତି ନେଇଛି ଯେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବାକୁ ସମୟ ଆସିଛି। ମୁଁ ବିଶ୍ୱକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବି ନାହିଁ।”

ତେବେ ଟିମ ଇଣ୍ଡିଆ ସହ ଇଂଲଣ୍ଡ ଖେଳିଥିବା ଶେଷ ମ୍ୟାଚରେ ୱିଲି ଚହଳ ପକାଇଦେଇଥିଲେ | ଭାରତୀୟ ବ୍ୟାଟର୍‌ ବିରାଟ କୋହଲି ରବିବାର ଦିନିକିଆ ବିଶ୍ବକପ୍‌ ଇତିହାସରେ ପ୍ରଥମ ଥର ଲାଗି ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଏହି ଅଘଟଣ ସପ୍ତମ ଓଭରରେ ଘଟିଥିଲା। ଭାରତୀୟ ପାଳିର ଚତୁର୍ଥ ଓଭର ଶେଷ ବଲ୍‌ରେ ଶୁବମନ ଗିଲ୍ ଆଉଟ୍ ହେବା ପରେ କ୍ରିଜ୍‌କୁ ଆସିଥିଲେ କୋହଲି। ହେଲେ ନିଜ ସ୍ବଭାବ ବିପରୀତ ପ୍ରଥମ ୮ଟି ବଲ୍‌କୁ ଅତ୍ୟନ୍ତ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିଲେ। ନବମ ବଲ୍‌କୁ ଏକ ଦୁର୍ବଳ ସଟ୍ ଖେଳି ନିଜ ୱିକେଟ୍ ହରାଇଥିଲେ। ଇଂଲଣ୍ଡର ବାମହାତୀ ବୋଲର ଡେଭିଡ୍ ୱିଲିଙ୍କ ଏହି ବଲ୍‌ରେ କୋହଲି ମିଡ୍ ଅଫ୍ ଅଞ୍ଚଳକୁ କ୍ୟାଚ୍ ଦେବା ପରେ ବେନ୍ ଷ୍ଟୋକ୍ସ ଏହାକୁ ଧରି ଭାରତକୁ ବଡ଼ ଝଟ୍‌କା ଦେଇଥିଲେ।

ସୂଚନାଯୋଗ୍ୟ ଯେ, ୱିଲି ଇଂଲଣ୍ଡ ପାଇଁ ୨୦୧୫ରେ ଆୟର୍ଲାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ | ସେ ଦିନିକିଆ କ୍ୟାରିୟରରେ ଏପର୍ଯ୍ୟନ୍ତ ୭୦ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ୱିଲି ୯୪ଟି ୱିକେଟ୍ ନେଇ ୬୨୭ ରନ୍ ସ୍କୋର କରିଛନ୍ତି।

Related Posts