ବିଜେଡି ଶାସନର ୨୨ ବର୍ଷ ପରେ ଆଜି ବି କାଶିପୁରରେ ଲୋକ ଆମ୍ବ ଟାକୁଆ ଖାଉଛନ୍ତି: ନରସିଂହ ମିଶ୍ର 

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ୫ ଦିନ ହେଲା  ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଏହା ମଧ୍ୟରେ ଏହି ପ୍ରସଙ୍ଗକୁ ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଠାଇଥିବାର  ଦେଖିବାକୁ ମିଳିଛି । ତେବେ ଶୂନ୍ୟ କାଳରେ ଉଠାଇଲେ ଶାସକଦଳକୁ କଲେ ପ୍ରଶ୍ନ । ରାଜ୍ୟରେ ଅଖାଦ୍ୟ ଖାଇ ଲୋକଙ୍କ ଜୀବନ ଯାଇଛି। ତେଣୁ ଆଉ କାଳ ବିଳମ୍ବ ନକରି ଗୃହକୁ ଆସି ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।ଏପରିକି ଏହାକୁ ନେଇ ଗୃହରେ ତୁମ୍ଭି ତୋଫାନ ଉଠିଛି । ବିଜେଡି ଶାସନର ୨୨ ବର୍ଷ ପରେ ଆଜି ବି କାଶିପୁରରେ ଲୋକ ଆମ୍ବ ଟାକୁଆ ଖାଉଛନ୍ତି ।

ତେବେ ଘଟଣାରେ ଏକାଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣଙ୍କୁ ଗୁରୁତର ଅବସ୍ଥାରେ କାଶୀପୁର ଓ ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ୧୫ ବର୍ଷର ବାଳକ ଥିବା ଜଣାପଡ଼ିଛି । ବ୍ଲକର ଡୁଡୁକାବାହଲ, ଶଙ୍କରଡ଼ା,ମାଇକଂଚ ପଂଚାୟତର ବିଭିନ୍ନ ଗାଁରେ ସ୍ଥିତି ଅଣାୟତ ହେବାରେ ଲାଗିଛି । ଗାଁରେ ସ୍ୱାସ୍ଥ୍ୟ କର୍ମୀ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘର ଘର ବୁଲି ଲୋକଙ୍କୁ ସଚେତନ କରାଇବା ସହ ଔଷଧ ବଂଟନ କରୁଛନ୍ତି । କୂଅରେ ମିଶୁଥିବା ଅପରିଷ୍କାର ପାଣି ପିଇ ଲୋକେ ଝାଡ଼ା ବାନ୍ତିର ଶିକାର ହେଉଥିବା କୁହାଯାଉଛି ।

ଶାସକ ଦଳ ୨୨ ବର୍ଷ ଶାସନ କରିବା ପରେ ଏପରି ଘଟଣା ସାମ୍ନାକୁ ଆସିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ନରସିଂହ ମିଶ୍ର କହିଛନ୍ତି । ସେପଟେ ଏହି କାଶୀପୁର ପ୍ରସଙ୍ଗରେ ଆସନ୍ତା ସୋମବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଦେଲେ ବାଚସ୍ପତି ବିକ୍ରମକେଶରୀ ଆରୁଖ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । 

Related Posts