ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ବି ଅଗ୍ନିବୀରଙ୍କୁ ମିଳିବ ଚାକିରି । ଯୋଜନାର ବିରୋଧ କରି ବ୍ୟାପକ ସଂଖ୍ୟାରେ ଯୁବ ପିଢି ରାସ୍ତାକୁ ଓହ୍ଲାଇଛନ୍ତି । ବିହାରଠୁ ନେଇ ଦେଶର ଅନେକ ରାଜ୍ୟରେ ଜାରି ବିକ୍ଷୋଭ ପ୍ରଦର୍ଶନ ସମୟରେ ଟ୍ରେନ ଜାଳି ଦିଆଯାଇଛି । ଏହି ଯୋଜନାରେ ଯୁବକଙ୍କୁ ଚାରି ବର୍ଷ ପାଇଁ ସ୍ଥଳ ସେନା, ନୌସେନା ଏବଂ ବାୟୁ ସେନାରେ ଚାରି ବର୍ଷ ପାଇଁ ଚାକିରି ମିଳିବ । ମଙ୍ଗଳବାର ଯୋଜନାର ଘୋଷଣା ହେବା ପରେ ସମଗ୍ର ଦେଶରେ ଉଠିଛି ପ୍ରତିବାଦର ସ୍ୱର । ଏହା ମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନେକ ସେବାରେ ଅଗ୍ନିବୀରଙ୍କୁ ନିଯୁକ୍ତି କରିବାକୁ ଘୋଷଣା କରିଛି ।

ଚାରି ବର୍ଷ ଚାକିରି ପରେ ଅଗ୍ନିବୀରଙ୍କୁ ବିମାନ ଚଳାଚଳ ମନ୍ତ୍ରଣାଳୟର ଅନେକ ସେବାରେ ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅନେକ ମନ୍ତ୍ରଣାଳୟ ମଧ୍ୟ ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କ ପାଇଁ ଚାକିରି ବ୍ୟବସ୍ଥା କରିବାର ପ୍ରସ୍ତାବ ଦେଇଛନ୍ତି । ମନ୍ତ୍ରଣାଳୟ କହିଛି, ଏୟାର ଟ୍ରାଫିକ ଏବଂ ବିମାନ ଜ୍ଞାନ କୌଶଳ ସେବାରେ ଅଗ୍ନିବୀରଙ୍କ ପାଇଁ ଭଲ ନିଯୁକ୍ତିର ସୁଯୋଗ ରହିଛି । ଅଗ୍ନିବୀରଙ୍କୁ ବିମାନ ରକ୍ଷଣାବେକ୍ଷଣ, ମରାମତି ଏବଂ ମୋଟାମୋଟି ସବୁ କାମରେ ସାମିଲ୍ କରାଯାଇପରେ । ଏପରିକି ସେମାନଙ୍କୁ ପାଣିପାଗ ବିଜ୍ଞାନ ଏବଂ ବିମାନ ଦୁର୍ଘଟଣା ଅନୁସନ୍ଧାନ ସେବାରେ ମଧ୍ୟ ସାମିଲ୍ କରାଯାଇପାରେ ।