ହାତ ଧରିଲେ ପଞ୍ଚାନନ, କଟକରୁ ଲୋକସଭା ଆସନ ପାଇଁ ମିଳିପାରେ ଟିକଟ

ସତ୍ୟପାଠ ବ୍ୟୁରୋ : କଂଗ୍ରେସରେ ଯୋଗ ଦେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ । ତମାଣ୍ଡୋ ଠାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଏଆସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି ପଂଚାନନ । ତେବେ ପଂଚାନନଙ୍କ ଯୋଗଦାନ କଂଗ୍ରେସକୁ ମଜବୁତ କରିବ ବୋଲି କଂଗ୍ରେସ କହିଥିବା ବେଳେ ଗୁଣ୍ଡୁଚିମୂଷା ହୋଇ ଦଳକୁ ପରିବର୍ତ୍ତନ ଦିଗରେ ଆଗେଇ ନେବି ବୋଲି କହିଛନ୍ତି ପଂଚାନନ ।

ତେବେ ପଂଚାନନଙ୍କୁ କଟକ ଲୋକସଭା କ୍ଷେତ୍ର ପାଇଁ ମିଳିପାରେ କଂଗ୍ରେସ ଟିକଟ । ୧୯୯୮ ମସିହାରୁ ଏଠାରେ ବିଜେଡି ଗଡ ଦଖଲ କରି ଚାଲିଥିବା ବେଳେ ପଂଚାନନଙ୍କୁ ପ୍ରୋଜେକ୍ଟ କରି ଦଳ ବିଜୟ ଆଶା ରଖିଛି । ୧୯୯୫ରେ କଂଗ୍ରେସର ଅନାଦି ସାହୁଙ୍କ ପରେ ୧୯୯୮ ମସିହାରୁ ଲଗାତର ଏହି ଆସନରୁ ଜିତି ଆସୁଛନ୍ତି ବିଜେଡିର ଭର୍ତ୍ତୁହରି ମହତାବ । ତେବେ ଗତ ୨୦୧୪ ନିର୍ବାଚନ ସମୟରେ ଏହି କ୍ଷେତ୍ର ପାଇଁ କଂଗ୍ରେସ ପ୍ରାର୍ଥୀନି ହୋଇଥିଲେ ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତି । ପ୍ରାୟ ୩ଲକ୍ଷରୁ ଉଦ୍ଧ୍ୱର୍ ଭୋଟରେ ପରାଜିତ ହେବା ପରେ ଗତ କିଛି ମାସ ତଳେ ଅପରାଜିତା କଂଗ୍ରେସ ଛାଡି ସାରିଛନ୍ତି । ତେଣୁ ଭର୍ତ୍ତୁହରିଙ୍କ ବିପକ୍ଷରେ ପଂଚାନନଙ୍କୁ ପ୍ରାର୍ଥୀ କରି ଦଳ ବିଜୟୀ ହେବାର ଆଶା ରଖିଛି ।

କହିବା ବାହୁଲ୍ୟ, ପଂଚାନନ ତିନିଥର ବିଧାୟକ ହୋଇ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । କଟକ ବାସିନ୍ଦା ହୋଇଥିବାରୁ ତାଙ୍କୁ କଟକ ଲୋକସଭା କ୍ଷେତ୍ର ପାଇଁ ଟିକଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ସେ ୧୯୬୮/୬୯ରୁ ୭୫ ପର୍ଯ୍ୟନ୍ତ ଯୁବ କଂଗ୍ରେସ ସହ ଜଡିତ ହୋଇ ରହିଥିଲେ ଓ ପରିବର୍ତ୍ତନ ଡାକରା ଆସିବାରୁ ସହଯୋଗ କରିବାକୁ କଂଗ୍ରେସ ଯାଉଛନ୍ତି ବୋଲି ପଂଚାନନ କହିଛନ୍ତି ।

Related Posts