ପୋଖରୀ ଖନନ ବେଳେ ବାହାରୁଛି ପୁଳା ପୁଳା ରତ୍ନ ପଥର; ଚାରି ପଟେ ୧୪୪ ଧାରା ଜାରି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବୌଦ୍ଧ ଜିଲ୍ଲାର ବୌଦ୍ଧ ବ୍ଲକ ଅନ୍ତର୍ଗତ ଶଗଡା ପଂଚାୟତର ଶରଧାପାଲି ଗ୍ରାମରେ ପୋଖରୀ ଖନନ ବେଳେ ମିଳୁଛି ପୁଳା ପୁଳା ରତ୍ନ ପଥର । ସେପଟେ ରତ୍ନ ପଥର ସବୁ ବୋହି ନେବା ପାଇଁ ଲାଗିଛି ଲୋକଙ୍କ ପ୍ରବଳ ଭିଡ। ଖନନ ବେଳେ ରତ୍ନ ପଥର ମିଳିବା ଖବର ପ୍ରଚାର ହେବା ପରେ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ଚାରିପଟେ ନାଲି ଫିତା ଟାଣି ୧୪୪ ଧାରା ଲାଗୁ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ ପକ୍ଷରୁ ଶରଧାପାଲି ଗ୍ରାମରେ ମନରେଗା ଯୋଜନାରେ ବନ୍ଧ ଖନନ ହେଉଥିବା ସମୟରେ ଶ୍ରମିକ ମାନେ ବିଭିନ୍ନ ପ୍ରକାରର ରତ୍ନ ପଥର ଦେଖିବାକୁ ପାଇଥିଲେ।

ଏହି ଘଟଣା ଚାରି ଆଡେ ପ୍ରଚାର ହେବା ପରେ ଶହଶହ ଲୋକ ସେଠାକୁ ଯାଇ ମାଟି ଖୋଲିବାରେ ଲାଗି ପଡିଛନ୍ତି । ସେଠାରେ ପ୍ରବଳ ଭିଡ ଲାଗିରହିଛି। ଅନେକ ଲୋକ ବିଭିନ୍ନ ପ୍ରକାରର ରତ୍ନ ପଥର ପାଇ ଲକ୍ଷାଧିକ ଟଙ୍କାରେ ବିକ୍ରିକରି ଲାଭବାନ ହୋଇଥିବା ଖବର ମିଳିଛି। ଉକ୍ତ ସ୍ଥାନକୁ କେତେକ ବ୍ୟକ୍ତି ନିଜ କବ୍‌ଜାରେ ରଖି କେବଳ ନିଜ ବିଶ୍ୱସ୍ଥ ଲୋକଙ୍କୁ ସେଠାକୁ ଛାଡୁଥିବା ଜାଣିବାକୁ ମିଳିଛି। ହେଲେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଖରୀ ଚାରିପଟେ ନାଲି ଫିତା ଟାଣି ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts