ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀରେ ଉତ୍ତେଜନା ଘଟଣା; ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କଲେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ହନୁମାନ ଜୟନ୍ତୀ ଅବସରରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ଘଟିଥିଲା ଉତ୍ତେଜନା | ଅଶାନ୍ତ ସ୍ଥିତିକୁ ନିୟନ୍ତ୍ରକୁ ନେବା ନେଇ ରାଜଧାନୀର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି । ସମ୍ବେଦନଶୀଳ ସ୍ଥାନରେ ରାପିଡ୍ ଆକ୍ସନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏବେବି ଜାହାଙ୍ଗୀରପୁରୀ ଇଲାକାରେ ଚାପା ଉତ୍ତେଜନା ରହିଛି । ଏହାମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପ୍ରସଙ୍ଗରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ସୂଚନାନୁସାରେ, ନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବା ବେଳେ କିଛି ଦୁର୍ବୃତ୍ତ ଅନେକ ଗାଡି ଭଙ୍ଗାରୁଜା କରିବା ସହ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ଯାଉଥିବା ବେଳେ ଏହି ହିଂସା ଆରମ୍ଭ ହୋଇଥିଲା। ଦୁର୍ବୃତ୍ତମାନେ ରାସ୍ତାରେ ଯାଉଥିବା ଯାନବାହନ ଭଙ୍ଗାରୁଜା କରିବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ହେଲେ ଦୁର୍ବୃତ୍ତମାନେ ପୋଲିସକୁ ମଧ୍ୟ ଛାଡ଼ି ନଥିଲେ। ଏହି ଘଟଣା ଘଟିବା ସମୟର ଭିଡିଓ ସାମ୍ନାକୁ ଆସିଥିବା ବେଳେ ଲୋକେ ଭୟଭୀତ ହୋଇ ଏଣେତେଣେ ପଳାଇ ଯାଉଥିବାର ଦେଖିବାକୁ ମିଳିଥିଲା। କୁହାଯାଉଛି ଯେ ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କଲା, ସେତେବେଳେ ଦୁର୍ବୃତ୍ତମାନେ ପଥର ଫିଙ୍ଗି ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ପଥର ମାଡ଼ କରିବା ସହ ଗୁଳି ମଧ୍ୟ ଚଳାଇଥିବା ଅଭିଯୋଗ ହୋଇଥିଲା ।

ଏବେ କିଛି ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳୁଛି ଉପଦ୍ରବକାରୀମାନେ ଖଣ୍ଡା ବୁଲାଉଛନ୍ତି । ଜଣେ ପୋଲିସକର୍ମୀ ଦୁର୍ବୃତ୍ତଙ୍କ ଗୁଳିର ଶିକାର ହୋଇ ଗୁରୁତର ହୋଇଛନ୍ତି। ଘଟଣାକୁ ନେଇ ଭିନ୍ନ ଭିନ୍ନ ଖବର ଆସୁଛି । ସେପଟେ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି ଅରବିନ୍ଦ କ୍ରେଜିୱାଲ୍ ।

ଅନ୍ୟପଟେ ପୋଲିସ କମିଶନରଙ୍କ ସହ କଥା ହୋଇଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେ କହିଛନ୍ତି । ଦିଲ୍ଲୀର ପୋଲିସ କମିଶନର କହିଛନ୍ତି ବର୍ତ୍ତମାନ ସବୁକିଛି ନିୟନ୍ତ୍ରଣରେ ରହିଛି , ହିଂସା ଘଟାଇଥିବା ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତଜାରି ରଖିଛି | ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିବା ସହ ଗିରଫ କରିଛି ପୋଲିସ |

Related Posts