କୋର୍ଟରୁ ଚୋରି: ମନ୍ତ୍ରୀଙ୍କ ବିରୋଧରେ ଥିବା ପ୍ରମାଣ ଭରା ବ୍ୟାଗ ଚୋରି ଅଭିଯୋଗ

ଆନ୍ଧ୍ରପ୍ରଦେଶ: ଚୋର କୋର୍ଟରୁ ଚୋରି । ଆନ୍ଧ୍ରପ୍ରଦେଶ ନେଲୋର ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା। ଚୋର କୌଣସି ଜିନିଷ ଚୋରି କରିନି, କରିଛି ମନ୍ତ୍ରୀଙ୍କ ବିରୋଧରେ ଥିବା ପ୍ରମାଣ ଭରା ବ୍ୟାଗ । ଯାହାକୁ ନେଇ ପୋଲିସର ନିଦ ହଜି ଯାଇଛି। ମାମଲାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଥିଲେ ବି ଏପର୍ଯ୍ୟନ୍ତ ଚୋର ଅଥବା ଚୋରି ସାମଗ୍ରୀ ମିଳିନଥିବା ଜଣାପଡିଛି। କୋର୍ଟରୁ ପ୍ରମାଣ ଚୋରିକୁ ନେଇ ବିଚାରପତି ଅସନ୍ତୋଷ ପ୍ରକାଶ କରିଛନ୍ତି।

ପୋଲିସ ସୂଚନା ଅନୁସାରେ ଏହି ଚୋରି ଅତିରିକ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଇଜଲାସରୁ ହୋଇଛି। ରାଜ୍ୟ କୃଷିମନ୍ତ୍ରୀ କାକାନୀ ଗୋବର୍ଦ୍ଧନଙ୍କ ବିରୋଧରେ ଆଗତ ଜାଲିଆତି ଓ ମାନହାନୀ ମାମଲାରେ କୋର୍ଟରେ ଉପସ୍ଥାପିତ ହେବାକୁ ଥିବା ପ୍ରମାଣ ଭରା ବ୍ୟାଗ୍ ନେଇ ଚୋର ପଳାଇଛନ୍ତି। ବ୍ୟାଗରେ ମନ୍ତ୍ରୀଙ୍କ ବିରୋଧରେ ପ୍ରମାଣ ରଖୁଥିବା ଲାପଟପ, ଆଇପ୍ୟାଡ ଓ ୩ଟି ସେଲଫୋନ ଥିଲା। ପୋଲିସ ଏବ ବ୍ୟାଗର ସନ୍ଧାନ କରୁଛି।

୨ ଅଟକ
କୋର୍ଟରୁ ଚୋରୀ ସମ୍ପର୍କରେ ଏପ୍ରିଲ ୧୩ ତାରିଖ ଦିନ ଥାନାରେ ଏତଲା ଦିଆଯାଇଥିଲା। ଅଭିଯୋଗରେ ୬ ଜଣଙ୍କ ବିରୋଧରେ ଚୋରି ଅଭିଯୋଗ ଅଣାଯାଇଥିବା ବେଳେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି। ଚୋରମାନେ କୋର୍ଟରୁ ବ୍ୟାଗ୍ ଚୋରି କରିବା ପରେ ଖାଲି ବ୍ୟାଗକୁ ନ୍ୟାୟାଳୟ ନିକଟରେ ଫିଙ୍ଗି ଚାଲିଯାଇଥିଲେ। ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଧରାପଡିବେ ବୋଲି ପୋଲିସ କହିଛି।

୨୦୧୬ ମସିହାର ମାନହାନୀ ମୋକଦ୍ଦମା:

ଉଲ୍ଲେଖଯୋଗ୍ୟ ଯେ ଗୋବର୍ଦ୍ଧନ ରେଡ୍ଡୀ ତତ୍କାଳୀନ ଟିଡିପି ମନ୍ତ୍ରୀ ସେମ୍ମି ରେଡ୍ଡୀ ଚନ୍ଦ୍ରମୋହନ ରେଡ୍ଡୀଙ୍କ ବିରୋଧରେ ୧ ହଜାର କୋଟିର ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆଣିଥିଲେ। ମାମଲାରେ ସେମ୍ମି ରେଡ୍ଡୀ ଚନ୍ଦ୍ରମୋହନ ରେଡ୍ଡୀ ୨୦୧୬ ମସିହାରେ ଗୋବର୍ଦ୍ଧନ ରେଡ୍ଡୀଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ। ନିକଟରେ ଗୋବର୍ଦ୍ଧନ ରେଡ୍ଡୀ ମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ବିରୋଧରେ ଜମା ପ୍ରମାଣ କୋର୍ଟରୁ ଚୋରି ହୋଇଥିଲା ।

Related Posts