ଖାଉଟିଙ୍କ ଉପରେ ମହଙ୍ଗା ମାଡ : ବଢିଲା ସାବୁନ ଓ ସର୍ଫ ଦାମ୍

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ । ପେଟ୍ରୋଲ-ଡିଜେଲ , ଗ୍ୟାସ୍ ସିଲିଣ୍ଡର , ଖାଇବା ତେଲ ପରେ ଏବେ ସାବୁନ ଓ ସର୍ଫ ବି ମହଙ୍ଗା। ଏକ୍ସସେଲ, ରିନ୍, ଲକ୍ସ ସାବୁନ ଭଳି ଘରେ ବ୍ୟବହୃତ ନିତ୍ୟ ସାମଗ୍ରୀର ଦାମ୍ ମଧ୍ୟ ବୃଦ୍ଧି ପାଇଛି । ଏଫଏମସିଜି କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ପକ୍ଷରୁ ତାର ସମସ୍ତ ସାମଗ୍ରୀର ଦାମ୍ ବଢାଇ ଦିଆଯାଇଛି । ଫଳରେ ସର୍ଫ ଏକ୍ସସେଲ୍, ହ୍ୱିଲ୍ ପାଉଡର, ରିନ୍ ପାଉଡର୍, ଲକ୍ସ ସାବୁନ, ଲାଇଫବୟ ସାବୁନ, ଭଳି ସାମଗ୍ରୀ ଗୁଡିକର ଦାମ୍ ୩ରୁ ୧୨ ପ୍ରତିଶତ ବୃଦ୍ଧି ପାଇଛି । 

ହ୍ଵିଲ୍‌ ଦାମ ବଢିଲା

ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ପକ୍ଷରୁ ଡିଟରଜେଣ୍ଟ ଶ୍ରେଣୀରେ ଏକ କିଲୋଗ୍ରାମ ଏବଂ ୫୦୦ ଗ୍ରାମ ପ୍ୟାକେଟ୍‌ ହ୍ଵିଲର ଦାମ୍ ୩.୫ ପ୍ରତିଶତ ବୃଦ୍ଧି କରାଯାଇଛି। ଫଳରେ ହ୍ଵିଲର ୫୦୦ ଗ୍ରାମ ପ୍ୟାକେଟ୍‌ର ମୂଲ୍ୟ ୨୮ ଟଙ୍କାରୁ ବଢି ୨୯ ଟଙ୍କା ହୋଇଛି। ସେହିପରି ଏକ କିଲୋଗ୍ରାମ ହ୍ଵିଲ୍‌ର ମୂଲ୍ୟ ପୂର୍ବରୁ ୫୬-୫୭  ଟଙ୍କା ଥିଲା ବେଳେ ଏବେ ୫୮ ଟଙ୍କା ହୋଇଛି। 

ସେହିପରି ରିନ ଡିଟରଜେଣ୍ଟ ପାଉଡରର ଦାମ ମଧ୍ୟ ବୃଦ୍ଧି କରିଛି କମ୍ପାନୀ। ଏକ କିଲୋଗ୍ରାମ ରିନ୍‌ ପ୍ୟାକେଟ୍ ପାଇଁ ପୂର୍ବରୁ ୭୭ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ୮୨ ଟଙ୍କା ଦେବାକୁ ପଡିବ। ସେହିପରି ଛୋଟ ପ୍ୟାକେଟ୍‌ର ଓଜନ କମ କରାଯାଇ ଦର ବୃଦ୍ଧିରେ ସନ୍ତୁଳନ ରଖାଯାଇଛି। ପୂର୍ବରୁ ଯେଉଁ ୧୫୦ ଗ୍ରାମ ରିନ୍‌ ଡିଟରଜେଣ୍ଟର ଦାମ ୧୦ ଟଙ୍କା ଥିବାବେଳେ ଏବେ ଏହାର ଓଜନ କମାଯାଇ ୧୩୦ ଗ୍ରାମ କରାଯାଇଛି। ସେହିପରି ସର୍ଫ ଏକ୍ସେଲ ମଧ୍ୟ ମହଙ୍ଗା ହୋଇଛି । ବର୍ତ୍ତମାନ ଏକ କିଲୋଗ୍ରାମ ପ୍ୟାକେଟ୍ ପାଇଁ ୧୪ ଟଙ୍କା ଅଧିକ ଦେବାକୁ ପଡିବ।

ଲକ୍ସ ଓ ଲାଇଫବୟ ସବୁନ ମହଙ୍ଗା

କମ୍ପାନୀ ଲକ୍ସ ଓ ଲାଇଫବୟ ସାବୁନର ଦାମ ମଧ୍ୟ ବଢାଇଛନ୍ତି। ଏହି ସାବୁନର ଦାମ ୮ ରୁ ୧୨ ପ୍ରତିଶତ ବୃଦ୍ଧି ପାଇଛି। ୧୦୦ ଗ୍ରାମ ଲକ୍ସ ସାବୁନର, ୫ ଇନ ୧ ପ୍ୟାକ୍‌, ମୂଲ୍ୟ ୧୨୮ ରୁ ୧୩୦ ଟଙ୍କା ହୋଇଛି। ପୂର୍ବରୁ ଏହି ସାବୁନର ଦାମ୍ ୧୨୦ ଟଙ୍କା ଥିଲା।

କମ୍ପାନୀ କହିଛି ଯେ, କଞ୍ଚାମାଲର ଦର ବୃଦ୍ଧି ପାଉଥିବା କାରଣରୁ ଏହି ସବୁ ଉତ୍ପାଦର ମୂଲ୍ୟ ବୃଦ୍ଧି କରାଯାଇଛି। କିଛି କଞ୍ଚାମାଲର ଦାମ ୨୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି। ପୂର୍ବରୁ ମହଙ୍ଗା ଇନ୍ଧନ କାରଣରୁ ଅତ୍ୟାବଶ୍ୟକୀୟ ବସ୍ତୁର ଦାମ୍ ମଧ୍ୟ ବୃଦ୍ଧି ପାଉଛି। 

Related Posts