କୋଭିଡ୍ ଟେଷ୍ଟ ପାଇଁ ଲାଗୁଥିବା ସମୟ, ଦେୟ ସଂପର୍କିତ ତଥ୍ୟ ମାଗିଲେ ହାଇକୋର୍ଟ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର :  ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ଦିଗରେ ପଦକ୍ଷେପ ନେବାକୁ ଗୁରୁତ୍ବାରୋପ କରିଛନ୍ତି ହାଇକୋର୍ଟ। ସମସ୍ତ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ସଂପର୍କିତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଉଚ୍ଚନ୍ୟାୟାଳୟ କୋଭିଡ୍ ଟେଷ୍ଟ ପାଇଁ ଲାଗୁଥିବା ସମୟ, ଦେୟ ସଂପର୍କିତ ତଥ୍ୟ ମାଗିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସଂଜୀବ ଯୋଶୀଙ୍କ ଆବେଦନର ଶୁଣାଣି କରି , ‘ ରାଜ୍ୟରେ ବିଭିନ୍ନ ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳର କେଉଁ କେଉଁ ସ୍ଥାନରେ ସବୁ ସରକାରୀ ଓ ଘରୋଇ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ରହିଛି ଏବଂ କରୋନା ପାଇଁ କରାଯାଉଥିବା ଆରଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ କେଉଁ କେଉଁ ସ୍ଥାନରେ ହେଉଛି ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ‘ 

ଏହା ବ୍ୟତୀତ ଜଣେ ବ୍ୟକ୍ତି ଯଦି ଟେଷ୍ଟ କରିବାକୁ ଚାହେଁ ତେବେ କେଉଁ ସ୍ଥାନକୁ କିଭଳି ଭାବେ ଯିବ ସେ ସମ୍ପର୍କରେ ମଧ୍ୟ ହାଇକୋର୍ଟ ଜାଣିବାକୁ ଚାହିଁଛନ୍ତି। ପ୍ରତ୍ୟେକ ଜିଲ୍ଲାରେ କେତୋଟି ଆରଟିପିସିଆର ଓ ରାପିଡ ଆଣ୍ଟିଜେନ ଟେଷ୍ଟ କିଟ୍ ରହିଛି, ଏପରି କିଟ୍ ଦ୍ବାରା ଟେଷ୍ଟ କରିବା ପାଇଁ କେତେ ସଂଖ୍ୟକ ତାଲିମପ୍ରାପ୍ତ ଆଶା କର୍ମୀ ଓ ପାରାମେଡିକାଲ ଷ୍ଟାଫ୍ ଅଛନ୍ତି , ଗ୍ରାମଞ୍ଚଳରେ ଆରଟିପିସିଆର ଓ ରାପିଡ  ଆଣ୍ଟିଜେନ୍ ଟେଷ୍ଟ ଫଳାଫଳ କେତେ ସମୟରେ ମିଳୁଛି ସେ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ। 

ଏତଦ୍ ବ୍ୟତୀତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ଘରୋଇ  ଆରଟିପିସିଆର ଓ ରାପିଡ ଆଣ୍ଟିଜେନ ଟେଷ୍ଟ  ପାଇଁ ଜଣେ ବ୍ୟକ୍ତିଙ୍କୁ କେତେ ଟଙ୍କା ଦେବାକୁ ପଡୁଛି ସେ ନେଇ ମଧ୍ୟ ସ୍ପଷ୍ଟ ସୂଚନା ଦେବାକୁ ହାଇକୋର୍ଟ ସୂଚନା ମାଗିଛନ୍ତି। ତେଣୁ ପ୍ରଥମେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ତଥ୍ୟ ମାଗିଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲା ଗୁଡ଼ିକ ତଥ୍ୟ ମଗାଯାଇ ପାରେ ବୋଲି ଜଣାପଡିଛି । 

ଏହି ଦୁଇ ଜିଲ୍ଲାର ହାଇକୋର୍ଟ ଜାଣିବାକୁ ଚାହୁଁଥିବା ସମସ୍ତ ପ୍ରସଂଗରେ ସତ୍ୟପାଠ ମାଧ୍ୟମରେ ତଥ୍ୟ ଦାଖଲ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ମୁତାବକ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୫କୁ ଧାର୍ଯ୍ୟ କରାଯାଇଥିବା ବେଳେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁକୁମାର ପାଟଯୋଶୀ ଓ ଆଇନଜୀବୀ ଏସ.କେ.ନନ୍ଦ ମାମଲା ପରିଚାଳନାକରୁଥିବା ଜଣାପଡିଛି। 

Related Posts