ମହଙ୍ଗା ପଡ଼ିଲା କର୍କଟ ରୋଗୀଙ୍କ ଜାମିନ ନାମଞ୍ଜୁର ପାଇଁ ଆବେଦନ, ଇଡିକୁ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜଣେ କର୍କଟ ରୋଗୀଙ୍କୁ ନିମ୍ନ ଅଦାଲତ ଦ୍ୱାରା ପ୍ରଦାନ କରାଯାଇଥିବା ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ମହଙ୍ଗା ପଡ଼ିଛି। ଏଥିପାଇଁ ଇଡିକୁ ଭର୍ତ୍ସନା କରିବା ସହିତ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଆବେଦନ ଦାଖଲ କରିବାକୁ ଅନୁମତି ଦେଇଥିବା ଇଡି ଅଧିକାରୀଙ୍କ ଦରମାରୁ ଜରିମାନା ବାବଦ ଅର୍ଥ ରାଶି ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ୍ ଏମ୍ ଆର ଶାହାଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଏହି ମାମଲାର ସବିଶେଷ ତଥ୍ୟ ଓ ପରିସ୍ଥିତି ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ଜଣକ କର୍କଟ ରୋଗ ପୀଡ଼ିତ ଥିବାରୁ ତାଙ୍କୁ ନିମ୍ନ ଅଦାଲତ ଜାମିନ ପ୍ରଦାନ କରିଛନ୍ତି। ବର୍ତ୍ତମାନ ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କର ଜାମିନ ନାମଞ୍ଜୁର କିମ୍ବା ଏହି ମାମଲାରେ କୌଣସି ହସ୍ତକ୍ଷେପ କରିପାରିବେ ନାହିଁ।ଏହାସହିତ ଜାମିନ ଆଦେଶ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

ଏହି ମାମଲାରେ କୋର୍ଟ ଇଡିକୁ କହିଛନ୍ତି ଯେ, ଏହି ଆବେଦନପତ୍ର ଦାଖଲ କରି ଇଡି କେବଳ ଆଇନଗତ ଫି ଏବଂ ଷ୍ଟେସନାରୀ ନୁହେଁ ବରଂ ନ୍ୟାୟିକ ସମୟ ମଧ୍ୟ ନଷ୍ଟ କରିଛି। ଆବେଦନକାରୀ କେନ୍ଦ୍ରୀୟ ଏଜେନ୍ସି କୋର୍ଟଙ୍କର ମୂଲ୍ୟବାନ ସମୟ ନଷ୍ଟ କରିଥିବାରୁ ତାଙ୍କୁ ୧ ଲକ୍ଷ୍ୟ ଟଙ୍କା ଜରିମାନା ଲଗାଯାଇଛି। ଏହାସହିତ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି ଜରିମାନା ରାଶିକୁ ଆବେଦନ ଦାଖଲ କରିବାକୁ ଅନୁମତି ଦେଇଥିବା ଇଡି ଅଧିକାରୀଙ୍କ ଦରମାରୁ ଆଦାୟ କରାଯିବ।

ଏହି ଅର୍ଥରାଶି ଦାଖଲ କରିବାକୁ କୋର୍ଟ ଇଡିକୁ ୧ ମାସ ସମୟ ଦେଇଛନ୍ତି। ଇଡିକୁ ଏକ ମାସ ମଧ୍ୟରେ ସୁପ୍ରିମକୋର୍ଟ ରେଜିଷ୍ଟ୍ରିରେ ଏହି ଜରିମାନା ଜମା କରିବାକୁ ପଡିବ। ଏହି ଏକ ଲକ୍ଷ ଟଙ୍କାରୁ ଅଧା ଅର୍ଥରାଶି ଜାତୀୟ ଆଇନ ସେବା ପ୍ରାଧିକରଣକୁ ହସ୍ତାନ୍ତର କରାଯିବ ଏବଂ ଅବଶିଷ୍ଟ ଅର୍ଥ ସୁପ୍ରିମକୋର୍ଟର ମଧ୍ୟସ୍ଥତା ଏବଂ ସମନ୍ୱୟ ପ୍ରକଳ୍ପ କମିଟିକୁ ହସ୍ତାନ୍ତର କରାଯିବ ।

Related Posts