ସଂସଦୀୟ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସିଜେଆଇ ରମନା , କହିଲେ – ” ଏବେ ଉପଯୁକ୍ତ ଡିବେଟ୍ ବିନା ଆଇନ ପାରିତ ହେଉଛି “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଜି ହେଉଛି ୭୫ତମ ସ୍ୱାଧୀନତା ଦିବସ। ସାରା ଦେଶ ଆଜି ଉତ୍ସାହର ସହ ଏହାକୁ ପାଳନ କରୁଛି। ତେବେ ସ୍ବାଧୀନତା ଦିବସ ଅବସରରେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରାମନା ଆଜି ସଂସଦର ପ୍ରକ୍ରିୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।  ସଂସଦରେ ହୋଇଥିବା ହଙ୍ଗାମାକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି। ବିଶେଷ କରି ଯେତେବେଳେ ସଂସଦ ଭିତରେ ବିଲ୍ ପାସ୍ ହେବା ସମୟରେ ସଂସଦୀୟ ବିତର୍କକୁ ନେଇ ଜଷ୍ଟିସ୍ ରମନା ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏମିତିକି ସଂସଦରେ ବିତର୍କ ହେଉନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ରମନା କହିଛନ୍ତି। ସେ କହିଛନ୍ତି ଯେ ସଂସଦରେ ଏହିପରି ଅନେକ ଆଇନ ପ୍ରଣୟନ କରାଯାଇଛି ଯେଉଁଥିରେ ଅନେକ ତ୍ରୁଟି ରହିଛି। ପୂର୍ବ ସମୟ ସହ ତୁଳନା କରି ପ୍ରଧାନ ବିଚାରପତି ଏନ.ଭି ରାମନା କହିଛନ୍ତି ଯେ ସେତେବେଳେ ସଂସଦର ଉଭୟ ଗୃହ ଓକିଲରେ ପରିପୂର୍ଣ୍ଣ ଥିଲା, କିନ୍ତୁ ବର୍ତ୍ତମାନର ସ୍ଥିତି ଭିନ୍ନ। ସେ ମଧ୍ୟ ଆଇନ ଜଗତ ସହ ଜଡିତ ଲୋକଙ୍କୁ ଜନସାଧାରଣଙ୍କ ସେବା ପାଇଁ ସମୟ ଦେବାକୁ କହିଛନ୍ତି। 

ସିଜେଆଇ ରାମାନା କହିଛନ୍ତି ଯେ ବର୍ତ୍ତମାନ ଉପଯୁକ୍ତ ଡିବେଟ୍ ବିନା ଆଇନ ପ୍ରଣୟନ କରାଯାଉଛି।  ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ସିଜେଆଇ କହିଛନ୍ତି ଯେ, ” ଯଦି ତୁମେ ପୂର୍ବରୁ ସଦନ ଭିତରେ ହେଉଥିବା ବିତର୍କକୁ ଦେଖ, ତେବେ ଜଣାପଡ଼େ ଯେ ସେମାନେ ଅତ୍ୟନ୍ତ ରଚନାତ୍ମକ, ବୌଦ୍ଧିକ, ସୃଜନଶୀଳ ଡିବେଟ୍ କରୁଥିଲେ ଏବଂ ସେମାନେ ଯାହା ଆଇନ ପ୍ରଣୟନ କରୁଥିଲେ ସେମାନେ ବିତର୍କ କରୁଥିଲେ … କିନ୍ତୁ ବର୍ତ୍ତମାନ ପରିସ୍ଥିତି ଦୁଃଖଦାୟକ । ଯଦି ବର୍ତ୍ତମାନର ଆଇନକୁ ଦେଖିବା, ତେବେ ଏଥିରେ ଅନେକ ତ୍ରୁଟି ଥିବା ଦେଖାଦେଉଛି ଏବଂ ଅନେକ ଅସ୍ପଷ୍ଟତା ମଧ୍ୟ ରହିଛି । “

ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଆଇନରେ କୌଣସି ସ୍ପଷ୍ଟତା ନାହିଁ।  କେଉଁ ଉଦ୍ଦେଶ୍ୟରେ ନିୟମ ତିଆରି ହୋଇଛି ତାହା ମଧ୍ୟ ଆମେ ଜାଣି ନାହୁଁ। ଏହା ଦ୍ବାରା ଅନେକ ଗୁଡ଼ିଏ ମକଦ୍ଦମା ହେଉଛି। ଫଳରେ ଜନସାଧାରଣଙ୍କ କ୍ଷତି ଘଟୁଛି । ଯଦି ସଂସଦ ଭିତରେ ବୁଦ୍ଧିଜୀବୀ ଏବଂ ଆଇନଜୀବୀ ପରି କୌଣସି ବୃତ୍ତିଗତ ଲୋକ ନଥାନ୍ତି ତେବେ ଏଭଳି ହୋଇଥାଏ ବୋଲି ସିଜେଆଇ କହିଛନ୍ତି। 

ତେବେ ସୂଚନାଯୋଗ୍ୟ ଯେ ପେଗାସସ୍ ଜାସୁସି ଠାରୁ ଆରମ୍ଭ କରି ଚାଷୀଙ୍କ ସମସ୍ୟା ଏସବୁ ପ୍ରସଙ୍ଗରେ ସଂସଦରେ ଜୋରଦାର ହଙ୍ଗାମା ହୋଇଛି। ତିନି କୃଷି ଆଇନ ରାଜ୍ୟସଭାରେ ପାରିତ ହେବା ସମୟରେ ମଧ୍ୟ ଜୋରଦାର ହଙ୍ଗାମା ସୃଷ୍ଟି ହୋଇଥିଲା। ଖାସ୍ କରି ନିକଟରେ ଶେଷ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ସମୟରେ ଗୃହ କାର୍ଯ୍ୟ ଏକ ପ୍ରକାର ଅଚଳ ହୋଇଗଲା। କିନ୍ତୁ ହଙ୍ଗାମା ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ଖୁବ୍ କମ୍ ସମୟରେ ବିନା ଡିବେଟ୍ ରେ ପାସ୍ ହୋଇଗଲା। ଏବଂ ଏହାକୁ ନେଇ ବିରୋଧୀ ଦଳର ନେତା ମାନେ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। 

Related Posts