ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି: ଆଉ ୩ ମାସ କୋହଳ ହେଲା ଟ୍ରାଫିକ ନିୟମ

ଭୁବନେଶ୍ୱର: ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି । ନୂତନ ମୋଟର ଯାନ ନିୟମକୁ କଡ଼ାକଡ଼ି ପାଳନ ନ କରିବାକୁ ପୁଣି ବଢିଲା ଅବଧି । ଗାଡ଼ି କାଗଜପତ୍ର ପାଇଁ ଆରଟିଓ ଯାଞ୍ଚ ନେଇ ୩ମାସର  କଣ୍ଟ ପୁରିବା ପୂର୍ବରୁ ପୁଣି ୩ ମାସ କୋହଳ କରିଛନ୍ତି ରାଜ୍ୟ ସରକାର । ଗାଡ଼ି କାଗଜପତ୍ର ପାଇଁ ରାଜ୍ୟର ବିଭିନ୍ନ ଆରଟିଓ ଅଫିସରେ ଲମ୍ବା ଲାଇନ ଓ ଲୋକଙ୍କ ସୁବିଧା ପାଇଁ ପୁଣି ସମୟ ଦେଇଛନ୍ତି ସରକାର । କିନ୍ତୁ ମଦ ପିଇ ଗାଡ଼ି ଚଳାଇବା, ହେଲମେଟ ନ ପିନ୍ଧିବା , ଦ୍ରୁତ ଗତିରେ ଗାଡ଼ି ଚଳାଇବା ଓ ସିଟ ବେଲ୍ଟ ନ ପିନ୍ଧିବା ଉପରେ ଯାଞ୍ଚ ଜାରି ରହିବ ।

ରାଜ୍ୟ ସରକାର ଗାଡ଼ି କାଗଜପତ୍ର କରିବା ପାଇଁ ୩ମାସର ପୂର୍ବରୁ ସମୟ ଦେଇଥିଲେ ମଧ୍ୟ  ବହୁ ଲୋକ ଏଯାଏଁ କାଗଜପତ୍ର କରିପାରି ନାହାଁନ୍ତି । ତେଣୁ ସଠିକ ଗାଡ଼ି କାଗଜପତ୍ର କରିବା ସହ ମୋଟା ଅଙ୍କର ଜରିମାନାରୁ ମୁକୁଳିବା ପାଇଁ ପୁଣି ଗାଡ଼ି ଚାଳକଙ୍କୁ ୩ମାସର ସମୟ ମିଳିଛି । ରାଜ୍ୟର ବିଭିନ୍ନ ଆରଟିଓରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ସେପ୍ଟେମ୍ବର ପହିଲାରୁ ନଭେମ୍ବର ୨୪ ମଧ୍ୟରେ ପ୍ରାୟ ୮, ୮୯, ୦୯୩ଜଣ ଗାଡ଼ି ଚାଳକ ଆବେଦନ କରିଛନ୍ତି । ସେଥି ମଧ୍ୟରୁ ୫, ୨୫, ୯୬୮ଙ୍କୁ ମିଳିଛି ଲର୍ଣ୍ଣିଂ ଲାଇସେନ୍ସ ମିଳିଛି । ଡିଏଲ୍ ପାଇଁ ୧, ୪୪, ୬୭୫ ଆବେଦନ କରିଥିଲେ ମଧ୍ୟ ୯୫, ୨୬୬ଙ୍କୁ ଡିଏଲ୍ ମିଳିଛି । ତେଣୁ ଆରଟିଓରେ ଅସ୍ୱାଭାବିକ ଭିଡ଼ ଦେଖି ଲୋକଙ୍କ ସୁବିଧା ପାଇଁ ଆଉ ୩ମାସ କୋହଳ କରାଯାଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ରାଜ୍ୟ ସରକାର ସଠିକ କାଗଜପତ୍ର କରି ନଥିବା ଗାଡ଼ି ଚାଳକ ଏବେ ଆରଟିଓ ଅଫିସରେ ଭିଡ଼ ଜମାଇଛନ୍ତି । ଆଜି ପ୍ରସଙ୍ଗକୁ ନେଇ ଆଜି ଗୃହରେ ମଧ୍ୟ ଶାସକ ଦଳ ନେତା ଦେବୀ ପ୍ରସାଦ ମିଶ୍ର ଓ ପ୍ରଦୀପ ମହାୀରଥୀ ଶୂନ୍ୟକାଳରେ କରିଥିଲେ । ଆରଟିଓରେ ଆବଶ୍ୟକ ଷ୍ଟାଫ ନଥିବାରୁ ଲୋକେ ସୁବିଧା ପାଉ ନାହାଁନ୍ତି । ଭୁବନେଶ୍ୱରକୁ ଛାଡ଼ି ଅନ୍ୟ ସବୁ ଜାଗାରେ ସନ୍ଧ୍ୟା ହେଲେ ଆରଟିଓ ବନ୍ଦ ହୋଇଯାଉଛି । ତେଣୁ ସରକାର ନେଇଥିବା ନିଷ୍ପତିର ପୁନର୍ବିଚାର କରିବା ଦରକାର ବୋଲି ଦାବୀ କରାଯାଇଥିଲା । କିନ୍ତୁ ମଦ ପିଇ ଗାଡ଼ି ଚଳାଇବା, ହେଲମେଟ ନ ପିନ୍ଧିବା , ଦ୍ରୁତ ଗତିରେ ଗାଡ଼ି ଚଳାଇବା ଓ ସିଟ ବେଲ୍ଟ ନ ପିନ୍ଧିବା ଉପରେ ଯାଞ୍ଚ ଜାରି ରହିବ ।

Related Posts