ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ଆଜି ୧୧ ଜିଲ୍ଲାକୁ ଚେତାବନୀ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ | ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ରାଜ୍ୟ ବାସୀ | ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମର ପ୍ରକୋପ | ଆଜି ବି ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆଜି ୧୧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ତାତିରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏଁ ତାତି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଗତକାଲି ବୌଦ୍ଧ ରାଜ୍ୟର ସବୁଠୁ ଉତପ୍ତ ସହର ହୋଇଥିଲା । ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ୮ ସହରରେ ତାତି ୪୪ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଥିଲା । ରାଜ୍ୟର ୨୫ ସହରରେ ଦିନର ତାତି ୪୦ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଥିଲା । ସେହିପରି ୧୩ ସହରରେ ତାତି ୪୩ ଡିଗ୍ରୀ ଉପରେ ରହିଥିଲା ।

ପାଣିପାଗ ବିଭାଗ କହିଛି, ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଆଜିର ଦିନଟି ବର୍ଷର ସବୁଠୁ ଉତ୍ତପ୍ତ ଦିନ । ଆସନ୍ତା ୩ ଦିନ ପରେ ତାତି ସାମାନ୍ୟ କମିବ । କାଳବୈଶାଖୀ ପ୍ରଭାବରେ ଗ୍ରୀଷ୍ମ ଲହରୀରେ ଲାଗିବ ବ୍ରେକ୍‌ । ଆସନ୍ତା ମେ’ ୧/୨ ତାରିଖବେଳକୁ ତାପମାତ୍ରା ୨ ଡିଗ୍ରୀ କମିପାରେ । ଯଦି ଏହି ଆକଳନ ସତ ହୁଏ, ଆସନ୍ତା ୧ ତାରିଖବେଳକୁ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୭/୩୮ ଡିଗ୍ରୀ ପାଖାପାଖି ରହିବ । ଆଭ୍ୟନ୍ତରୀଣ ଓଡ଼ିଶା ଏବେ ୪୩-୪୫ ଡିଗ୍ରୀ ତାତିରେ ଭାଜି ହେଉଥିବାବେଳେ ସେତେବେଳକୁ ପାରଦ ୪୨ ଡିଗ୍ରୀକୁ ଖସିପାରେ । ଅର୍ଥାତ୍‌ ଆସନ୍ତା ୧/୨ ତାରିଖବେଳକୁ ତାତିରୁ ବଡ଼ ଆଶ୍ୱସ୍ତି ମିଳିବା ଆଶା କମ୍‌ ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ବର୍ତ୍ତମାନ ଯେଉଁଭଳି ଗ୍ରୀଷ୍ମ ପ୍ରବାହ ସ୍ଥିତି ଅଛି, ତାହା ପ୍ରାୟତଃ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ବର୍ତ୍ତମାନ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ଥିଲେ ବି ତାହା ହାଲୁକା ବର୍ଷା କରାଇବ । ଏହା ତାତି ହ୍ରାସ ପାଇଁ ପର୍ଯ୍ୟାପ୍ତ ହେବନି । ଅନୁମାନ କରାଯାଉଛି, ଉପକୂଳ ଓଡ଼ିଶାରେ ୩୦ ଯାଏଁ ଅସହ୍ୟ ତାତି ପ୍ରକୋପ ଜାରି ରହିବ । ୧ରୁ ସାମାନ୍ୟ କମିବ । କମିଲେ ମଧ୍ୟ ଉପକୂଳରେ ପାରଦ ୩୭-୩୯ ଡିଗ୍ରୀ ପାଖାପାଖି ରହିବ । ମାତ୍ର ଆଭ୍ୟନ୍ତରୀଣ ଅଞ୍ଚଳରେ ଏବେ କମିବନି । ୩ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା ଯେମିତି ଜଳୁଛି ଜଳିବ ଆସନ୍ତା ୧ କିମ୍ବା ୨ ତାରିଖବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୬ ଡିଗ୍ରୀ ଡେଇଁପାରେ । ୪ ତାରିଖରୁ ଧୀରେଧୀରେ ତାତି କମିବ । ୫/୬ରୁ ହିଁ ସାରା ଓଡ଼ିଶାରେ ଗରମ କମିପାରେ । ସେ ସମୟରେ ପବନର ଦିଗ ବଦଳିବ । ସାମୁଦ୍ରିକ ପବନ ବଢ଼ିବା ସହ କାଳବୈଶାଖୀ ବଢ଼ିପାରେ । ବର୍ଷା ହେଲେ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ତାତି କମ୍‌ ରହିପାରେ । ମାତ୍ର ସାମୁଦ୍ରିକ ପବନ କେତେ ଶକ୍ତିଶାଳୀ ହେଉଛି, ତାହା ଉପରେ ସବୁକିଛି ନିର୍ଭର କରିବ । ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା ହେବନି ।

Related Posts