ମିଡ଼ିଆ – ମାନ୍ୟବର ମୁହାଁମୁହିଁ

ଭୁବନେଶ୍ୱର ମହାନଗର ନିଗମ ତରଫରୁ କ୍ୟାପିଟାଲ ଥାନାରେ ଶନିବାର ବିଳମ୍ବିତ ରାତିରେ କରୋନା ସମ୍ପର୍କିତ ଏକ ବିବାଦୀୟ ଅଡ଼ିଓ କ୍ଲିପ୍‌କୁ ନେଇ “ଓ ଟିଭି” ନାଁରେ ଏକ ମାମଲା ରୁଜ୍ଜୁ କରାଯାଇଛି । ଏହି ଫୌଜ୍‌ଦାରୀ ମାମଲା ରୁଜ୍ଜୁକୁ ନେଇ ରାଜ୍ୟରେ ମିଡ଼ିଆ ଏବଂ ସରକାର ଏବେ ମୁହାଁ ମୁହିଁ ସ୍ଥିତିରେ, ଏହି ଘଟଣାକୁ ନେଇ ମିଡ଼ିଆ ଏବଂ ରାଜନୈତିକ ଦଳ ମଧ୍ୟ ଭାଗ ଭାଗ ହୋଇ ଯାଇଛନ୍ତି । କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକୁ କଡ଼ା ସମାଲୋଚନା କରିବା ସହ ବହୁ ବରିଷ୍ଠ ସାମ୍ବାଦିକମାନେ ମଧ୍ୟ ଏହାର ସମାଲୋଚନା କରିଛନ୍ତି ।

ଏହି ପ୍ରସଙ୍ଗରେ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଯେ, ଆଜି ଭୁବନେଶ୍ୱରରେ ଏଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଏହା କେବଳ ସରକାର ଏବଂ ତାଙ୍କ ପ୍ରଶାସନିକ ଅଧିକାରୀଙ୍କ ପାଇଁ ହୋଇଛି ଏଥିପାଇଁ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବା କଥା, ସେ ଗଣମାଧ୍ୟମ ବିରୋଧରେ ରୁଜ୍ଜୁ କରିଥିବା ଏହି ମାମଲାକୁ ମୁଁ ଘୋର ନିନ୍ଦା କରୁଛି । ଖୋର୍ଦ୍ଧା ଜିଲ୍ଲାରେ ଯେତିକି ଲୋକ ଏହି ମହାମାରୀରେ ମୃତ୍ୟୁବରଣ କରିଛନ୍ତି ଏଥିପାଇଁ ବି.ଏମ୍‌.ସି କମିଶନର ହିଁ ଦାୟୀ ତେଣୁ ତାଙ୍କ ନାଁରେ ଏଫ୍‌, ଆଇ. ଆର ହେବା ଦରକାର । ତାଙ୍କର ଅବହେଳା ଏବଂ ଗର୍ବ, ଅହଙ୍କାର ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଏ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ତାଙ୍କ ବିରୋଧରେ ସରକାର ତୁରନ୍ତ କଡ଼ା କାର୍ଯ୍ୟନୁଷ୍ଠାନ ନେବା ଉଚିତ୍ ।

ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ ଯଦି “ଓ ଟିଭି” ଏବଂ ଅନ୍ୟ ଟିଭି ଭାଇ ମାନେ ନିଜ ଜୀବନକୁ ବାଜି ଲଗାଇ ଗାଁ ଗଣ୍ଡାକୁ ଯାଇ ପ୍ରକୃତ ତଥ୍ୟ ସଂଗ୍ରହ କରି ଲୋକଙ୍କୁ ସଚେତନ କରୁଛନ୍ତି ବୋଲି, ଆଜି ଏହି ରୋଗ କେତେକାଶଂରେ ନିୟନ୍ତ୍ରଣ ଭିତରେ ରହିଛି । ଏଥିରେ କମିଶନର କେଶ୍ କରିବା ତାଙ୍କ ନିଜର ବୋକାମୀ । ଏହି ସଟ୍ ଡ଼ାଉନ୍‌ରେ ମିଡ଼ିଆ ଭାଇ ମାନେ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଛନ୍ତି । ମିଡ଼ିଆ ଭାଇ ମାନଙ୍କ କାମ ହେଉଛି ପ୍ରଶଂସନୀୟ ତାଙ୍କ ବିରୋଧରେ ଏମିତି କରବା ସଂପୂର୍ଣ୍ଣ ଅନୁଚିତ୍ ।

 

 

ଏହି କ୍ରମରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯିଏ ଭୁଲ୍ କରିଛି ତା ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଦରକାର ଏବଂ ଆଇନ ତା କାମ କରିବା ଉଚିତ୍ କିନ୍ତୁ ରାଜ୍ୟ ସରକାର ଯେଉଁ ଭଳି ଭାବରେ ଅସହିଷ୍ଣୁ ହୋଇ ପଡ଼ିଛନ୍ତ ଏହା ଉପରକୁ ଲୋକଙ୍କ ନଜର ଆଣିବା ନିହାତି ଦରକାର ଏବଂ ରାଜ୍ୟ ସରକାର ସକରାତ୍ମକ ସମାଲୋଚନାକୁ ସ୍ୱୀକାର କରିବା ଶିଖନ୍ତୁ । କରୋନା ମହାମାରୀକୁ ଆମେ ଲଢିବାକୁ ସେତେବେଳେ ସଫଳ ହେବା ଯେତେବେଳେ ସମାଜର ସବୁ ବର୍ଗର ଲୋକ ତଥା ନିର୍ବାଚିତ ପ୍ରତିନିଧି ଏବଂ ଗଣମାଧ୍ୟମ, ସମାଜର ବୁଦ୍ଧିଜୀବ ସମସ୍ତେ ଏକାଠି ଆସିବେ ଏବଂ ସେମାନଙ୍କ ମତ ରଖିବେ ଭୁଲ୍ ଠିକ୍ କୁ ତର୍ଜମା କରିବା ଏବଂ ଭୁଲ୍‌ରୁ ଶିଖିବା ତାହାଲେ ଆମେ ସଫଳ ହେବା । ଯଦି ଗଣମାଧ୍ୟମର କଥାକୁ ଆମେ ଦେଖି ଆତଙ୍କିତ ହୋଇ ସରକାରଙ୍କ ବିରୋଧରେ ଉଠୁଥିବା କଥାକୁ କଣ୍ଠରୋଧ କରିବାକୁ ଚେଷ୍ଟା କରିବା ଏବଂ ନାଲିଆଖି ଦେଖେଇବା ଗଣତନ୍ତ୍ର ପାଇଁ ହିତକର ନୁହେଁ ଏବଂ ଲଢେଇରେ ମଧ୍ୟ ଏହା ସଫଳତାର ମାପକାଠି ନୁହେଁ । ରାଜ୍ୟ ସରକାର ଭୟଭୀତ ହୋଇ ଏମିତି କରିଛନ୍ତି ।

 

 

ସାମ୍ବାଦିକ ମହଲରେ ମଧ୍ୟ ଏହାକୁ ଘୋର ବିରୋଧ କରିବା ସହ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହି ମହାମାରୀ ସୁଯୋଗ ନେଇ ସରାକାର ଭାବୁଛନ୍ତି ୧୯୭୫ ମସିହାରେ ହୋଇଥବା ଜୋରେଇ ପରିସ୍ଥିତି ଭଳି ଗଣମାଧ୍ୟମକୁ ନିୟନ୍ତ୍ରଣ କରିପାରିବେ । ବର୍ତ୍ତମାନ ଯେହେତୁ ସାଧାରଣ ଲୋକମାନଙ୍କର ମତ ପ୍ରକାଶ ବା ପ୍ରତିବାଦ କରିବାର କିଛି ସୁଯୋଗ ନାହିଁ ନିୟମ ଏବଂ ନିୟନ୍ତ୍ରଣ ଯୋଗୁଁ । ଏବେ କେବଳ ଗଣମାଧ୍ୟମ ଜରିଆରେ ଲୋକ ସମସ୍ତ ସୂଚନା ହସ୍ତଗତ କରିପାରିବେ ତାହାକୁ ସରକାର କଣ୍ଠରୋଧ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏହି ମହାମାରୀ ସମୟରେ ଗଣମାଧ୍ୟମ ଯେଉଁ ଦାୟୀତ୍ୱ ତୁଲାଉଛି ଏହାକୁ ସରକାର ପ୍ରଶଂସା କରିବା କଥା । ସରକାର ଏବଂ ତାଙ୍କର ପ୍ରଶାସନିକ ଅଧିକାରୀମାନେ ତାଙ୍କର ଦାୟିତ୍ୱକୁ ପାଳନ କରନ୍ତୁ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରନ୍ତୁ ନାହିଁ ଯଦି ସରକାର ଏମିତି କରିବେ ତେବେ ସରକାରଙ୍କ ବିରୋଧ ଘୋର ଜନମତ ସୃଷ୍ଟି ହେବ ।

 

 

ଏହି ମାମଲା ପରିପ୍ରେକ୍ଷୀରେ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସରକାର ତାଙ୍କ ଦୋଷ, ଦୁର୍ବଳତା ଏବଂ ତ୍ରୁଟିକୁ ଲୁଚାଇବାକୁ ଯାଇ ଗଣମାଧ୍ୟମ ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି । ସରକାର ସାମ୍ବାଦିକଙ୍କୁ କୋଭିଡ଼ ଯୋଦ୍ଧା କହୁଥିବା ବେଳେ, ଅତ୍ୟନ୍ତ କଷ୍ଟର ସହିତ ସାମ୍ବାଦିକ୍‌ଟିଏ ଖବର ପ୍ରସାରଣ କରୁଛି । ସରକାର ପ୍ରଥମେ ଏହାର ପରିକ୍ଷା କରନ୍ତୁ, ଫରେନ୍ସିକ୍ ଦ୍ୱାରା ଏହାର ଯାଂଚ କରନ୍ତୁ ତା ପରେ ଉକ୍ତ ଗଣମାଧ୍ୟମକୁ ସଫେଇ ମାଗନ୍ତୁ । ସରକାର ନିଜେ ସ୍ୱୀକାର କରୁଛନ୍ତି ଯେ ଗଂଜାମରେ ଅବ୍ୟବସ୍ଥା ଭିତରେ ଚାଲିଛି କୋଭିଡ଼ ପରିଚାଳନା । ଠିକ୍ ଏହି କଥା ହିଁ ଏହି ଅଡ଼ିଓ କ୍ଲିପ୍‌ରେ ଅଛି ଯେ ପରିଚାଳନା ଠିକ୍ ଠାକ୍ ହେଉନାହିଁ । ସଂପୂର୍ଣ୍ଣ ରହସ୍ୟମୟ ଭାବରେ ସରକାର କୋଭିଡ଼ ପରିଚାଳନା କରୁଛନ୍ତି । ଏ ପର୍ଯ୍ୟନ୍ତ କୌଣସି ସଠିକ୍ ତଥ୍ୟ ରଖୁନାହାନ୍ତି ପରିଚାଳନା ଏବଂ ଦାୟିତ୍ୱକୁ ନେଇ । ସରକାର ଯଦି ଠିକ୍ ଭାବରେ ପରିଚାଳନା କରିଥାନ୍ତେ ତେବେ ସେ ଗଣମାଧ୍ୟମ ବିରୋଧରେ ଏଭଳି ପଦକ୍ଷେପ ନେଇ ନଥାନ୍ତେ ବରଂ ସେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସହଯୋଗ କରିଥାନ୍ତେ ।

 

ଏହି କ୍ରମରେ ସାମ୍ବାଦିକ ରାଜାରାମ ଶତପଥୀଙ୍କ କହିବା କଥା ସେହି ବସ୍ତି ଲୋକ ତାଙ୍କ ସମସ୍ୟାକୁ ଭିଡ଼ିଓ ମାଧ୍ୟମରେ ବିଭିନ୍ନ ଗଣମାଧ୍ୟମକୁ ପଠାଇଥିଲେ,ଏହାକୁ ସାମାଜିକ ଗଣମାଧ୍ୟମରେ ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରଣ କରାଯାଇଛି । କିନ୍ତୁ, ସରକାର ଏତେ ତରବରିଆ ଭାବରେ ପ୍ରେସ୍ ବିବୃତ୍ତି ଦେବା ଏବଂ ମାମଲା ରୁଜୁ କରିବା ଏସବୁଥିରୁ ଯାହା ଜଣାପଡ଼ୁଛି ଯେ ସରକାର ଜନ ଅସନ୍ତୋଷକୁ ବିଭିନ୍ନ ଉପାୟରେ ଦବେଇ ଦେବା ପାଇଁ ଚେଷ୍ଟା କରୁଛନ୍ତ, ଏହା ଆଦୌ ଠିକ୍ କଥା ନୁହେଁ ।ସରକାରଙ୍କ ଦୋଷ ଦୁର୍ବଳତା ଏବଂ ଭୁଲ୍‌କୁ ନେଇ ଗଣମାଧ୍ୟମ ସ୍ୱର ଉଠେଇବା ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ, ସରକାର ଏହି ସମାଲୋଚନାକୁ ସହୃଦୟ ଗ୍ରହଣ କରିବା କଥା ।

Related Posts