ଭୁବନେଶ୍ୱର,୧୮/୧୨(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଦେବେନ୍ଦ୍ର ଫଡନାଭିସଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଛନ୍ତି ଦେବେନ୍ଦ୍ର ଫଡନାଭିସ । ବାୱାନକୁଲେ କହିଛନ୍ତି ଯେ, ମୁଁ ମହାରାଷ୍ଟ୍ର ବିଜେପିର ଅଧ୍ୟକ୍ଷ ଥିବା ସମୟରେ ଦେବେନ୍ଦ୍ର ଫଡନାଭିସ୍ ପୁଣି ଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ଉଚିତ୍।
ସେ ଆହୁରି କହିଛନ୍ତି ଯେ, ଫଡନାଭିସ ସବୁ ବର୍ଗର ଲୋକଙ୍କୁ ନ୍ୟାୟ ଦେବାର କାମ କରିଛନ୍ତି । ମରାଠା, ହୁଅନ୍ତୁ କି ଧଙ୍ଗର କିମ୍ବା ଅନ୍ୟ କୌଣସି ସମ୍ପ୍ରଦାୟକୁ ନ୍ୟାୟ ପ୍ରଦାନ କରିବା ଭଳି କାର୍ଯ୍ୟ ଫଡନାଭିସ ହିଁ କରିଛନ୍ତି। ମହାରାଷ୍ଟ୍ରରେ ପୁଣି ଥରେ ୨୦୧୪ ରୁ ୨୦୧୯ର ଯୁଗ ଫେରିବା ଉଚିତ୍। ନାଗପୁରର ସନ୍ଥ ସାନ୍ତାଜୀ ଜଗନାଡେ ମହାରାଜ ମେମୋରିଆଲ ଆର୍ଟ ଗ୍ୟାଲେରୀର ଭୁମି ପୂଜନ ସମୟରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ସେହିପରି ସେ ମୁମ୍ବାଇରେ ମହା ବିକାଶ ଅଘାଡି ପଦଯାତ୍ରାକୁ ମଧ୍ୟ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ନୂତନ ସରକାର ଆସିବା ପରେ ରାଜ୍ୟରେ ବିକାଶର ଏକ ବୁଲେଟ୍ ଟ୍ରେନ୍ ଚାଲିଛି । ମହା ବିକାଶ ଅଘାଡି ଏହାର ରାଜନୈତିକ ଅସ୍ତିତ୍ୱ କାଳେ ବିପଦରେ ପଡିଯିବ ବୋଲି ଭୟଭୀତ ହୋଇ ଏହି ପଦଯାତ୍ରା କରିଥିଲେ। ସେ କହିଛନ୍ତି ଯେ ମହା ବିକାଶ ଅଘାଡିର ନେତାମାନେ ବାରମ୍ବାର ମହାପୁରୁଷମାନଙ୍କୁ ଅପମାନିତ କରୁଛନ୍ତି।