ଫେଲ୍ ମାରିଛି ଅନଲାଇନ ପାଠପଢ଼ା : ଅଢେଇ କୋଟିରୁ ଅଧିକ ପିଲାଙ୍କ ପାଖରେ ନାହିଁ ଡିଜିଟାଲ ଡିଭାଇସ୍ , ସଂସଦରେ ଉତ୍ତର ରଖିଲେ ଶିକ୍ଷା ମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ସଂକ୍ରମଣ ଆଶଙ୍କାରରେ ଦୀର୍ଘ ଏକ ବର୍ଷ ହେଲାଣି ସମସ୍ତ ସ୍କୁଲ କଲେଜରେ ଅଫଲାଇନ ଶିକ୍ଷାଦାନ ବନ୍ଦ ରହିଛି । ସରକାର ଅନଲାଇନ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । କରୋନା ବ୍ୟାପିବା ଆଶଙ୍କା କାରଣରୁ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡିକ ଏବେ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠପଢାଯାଉଛି । ଆଉ ପିଲାଙ୍କ ଅନଲାଇନ ପାଠପଢ଼ା ଲାଗି ମୋବାଇଲ, ଲାପଟପ ଓ ଡେସ୍କଟପ ହେଉଛ ଏକମାତ୍ର ମାଧ୍ୟମ। କିନ୍ତୁ ଏଭଳି ପରିସ୍ଥିତିରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ଯ ସାମ୍ନାକୁ ଆସିଛି। ଦେଶର ୨୬ ଟି ରାଜ୍ୟରୁ ୨ କୋଟି ୬୯ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଖରେ ଲାପଟପ୍ କିମ୍ବା ମୋବାଇଲ୍ ସୁବିଧା ନାହିଁ।

ଏ ନେଇ ଖୋଦ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ତାଙ୍କ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। ତେବେ ଅନଲାଇନ ଶିକ୍ଷାଦାନ କ୍ଷେତ୍ରରେ ବିହାରର ସ୍ଥିତି ସବୁଠାରୁ ଖରାପ। ବିହାରରେ ୧ କୋଟି ୪୩ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଖରେ ଅନଲାଇନରେ ପାଠପଢିବା ପାଇଁ ଡିଜିଟାଲ୍ ଉପକରଣ ନାହିଁ। କେନ୍ଦ୍ର ମନ୍ତ୍ରୀ ଦେଇଥିବା ସୂଚନା ମୁତାବକ ଝାଡ଼ଖଣ୍ଡରେ ୩୫.୩୨ ଲକ୍ଷ, କର୍ଣ୍ଣାଟକରେ ୩୧.୩୧ ଲକ୍ଷ, ଆସାମରେ ୩୧.୦୬ ଲକ୍ଷ, ଉତ୍ତରପ୍ରଦେଶରେ ୨୧ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଖରେ ଡିଜିଟାଲ୍ ଉପକରଣ ନାହିଁ । ଉଲ୍ଲେଖଯୋଗ୍ୟ ଯେ ପାଞ୍ଚଟି ରାଜ୍ୟର ତଥ୍ୟ ଏଥିରେ ସାମିଲ କରାଯାଇ ନାହିଁ।

ପୂର୍ବରୁ ପିଲାମାନଙ୍କୁ ମୋବାଇଲରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ ମୋବାଇଲ୍ କିମ୍ବା ଲାପଟପ୍ ବ୍ଯବହାର କରିବା ବାଧ୍ୟତାମୂଳକ ହୋଇଛି। କୋଭିଡ୍ ମହାମାରୀ ଭୟାବହତାକୁ ଦୃଷ୍ଟିରେ ରଖି ସ୍କୁଲ୍ ବନ୍ଦ ଥିବାରୁ ଅନଲାଇନ କ୍ଲାସ ଚାଲିଛି। ତେବେ ଚିନ୍ତାଜନକ ବିଷୟ ହେଉଛି କୋଟି କୋଟି ଛାତ୍ରଛାତ୍ରୀଙ୍କ ପାଖରେ ଅନଲାଇନ କ୍ଲାସ କରିବା ପାଇଁ ଡିଜିଟାଲ ଉପକରଣ ନାହିଁ। ଫଳରେ ଏହି ପିଲାମାନେ ପାଠପଢ଼ାରୁ ବଞ୍ଚିତ ହୁଅନ୍ତି ।

ଡିଜିଟାଲ ଡିଭାଇସ ନଥିବାର ସ୍ଥିତି ଏତେ ଖରାପ ଯେ ଅରୁଣାଚଳ ପ୍ରଦେଶ, ଗୋଆ, ମଣିପୁର, ମହାରାଷ୍ଟ୍ର ଏବଂ ୟୁପିର ତଥ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ଚିପାରି ନାହିଁ। ଦିଲ୍ଲୀ (୪%), ଜାମ୍ମୁ କାଶ୍ମୀର (୭୦%), ଛତିଶଗଡ (୨୮.୨୭%), ପଞ୍ଜାବ (୪୨%), ମଧ୍ୟପ୍ରଦେଶ (୭୦%) ଛାତ୍ରଛାତ୍ରୀଙ୍କ ପାଖରେ ଅନଲାଇନ କ୍ଲାସ ପାଇଁ ଡିଜିଟାଲ ଡିଭାଇସ ନାହିଁ।

ଅନ୍ୟ ପକ୍ଷରେ ଆଉ ଏକ ସମସ୍ୟା ହେଉଛି ଅନ ଲାଇନ ପାଠପଢା ପଢିବା ସମୟରେ ଇଂଟରନେଟର ସ୍ପିଡ୍ ଧିମା ହେଉଥିବାରୁ ଭିଡିଓ କନଫରେନସିଂରେ ଅସୁବିଧା ଦେଖାଦେଇଛି । ଗ୍ରାମାଚଂଳର ସ୍ଥିତି ଆହୁରି ଶୋଚନୀୟ ।

ଗାଁରେ ଯଦିଓ ମୋବାଇଲ ଫୋନରେ କଥାବାର୍ତା କରାଯାଇପାରୁଛି କିନ୍ତୁ ଡାଟାର ବେଗ ଅତ୍ୟନ୍ତ ଧିମା । ପାଠ ପଢିବା ତ ଦୂରର କଥା ଭିଡିଓ କଲିଂ ମଧ୍ୟ ହୋଇପାରୁନାହିଁ । ଗାଁ ଗହଳରେ ପ୍ରାୟ ସମସ୍ତ ଟେଲିକମ କମ୍ପାନୀ ସେବାରେ ଏହି ଅବ୍ୟବସ୍ଥା ଦେଖାଯାଇଛି । ଦୂରଦୂରାନ୍ତରେ ମୋବାଇଲ ଟାୱାର ଯୋଗୁଁ ଏଭଳି ଘଟୁଥିବା କୁହାଯାଉଥିବାବେଳେ ଅଧିକାଂଶ ସ୍ଥାନରେ କିନ୍ତୁ କମ୍ପାନୀଗୁଡିକ ସେମାନଙ୍କ ଯନ୍ତ୍ରପାତିରେ ଉନ୍ନତିବିଧାନ କରୁନଥିବାରୁ ସମସ୍ୟା ସୃଷ୍ଟି ହେଉଥିବା ଜଣାଯାଇଛି ।

Related Posts