ଅନ୍‌ଲାଇନ୍‌ ପାଠପଢ଼ା କାଳ ସାଜିଲା : ପାହାଡ଼ ପଥର ଧସି ଛାତ୍ର ମୃତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଅନ୍‌ଲାଇନ୍‌ ପାଠପଢ଼ା କାଳ ସାଜିଲା। ମୋବାଇଲ ନେଟୱର୍କ ନଥିବାରୁ ଜଣେ ଛାତ୍ର ପାହାଡ଼ ଉପରକୁ ଚଢ଼ିଥିଲେ ଅନଲାଇନ କ୍ଲାସ କରିବା ପାଇଁ। ଘରେ ନେଟୱାର୍କ ଆସୁନଥିବା କାରଣରୁ ପାହାଡ଼ ଉପରକୁ ଚଢି ପାଠ ପଢୁଥିଲେ ହେଲେ, ପଥର ଧସିଯିବାରୁ ସମ୍ପୃକ୍ତ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ନୂଆଗଡ଼ ପଞ୍ଚାୟତରେ । 

ମିଳିଥିବା ସୂଚନା ମୁତାବକ ରାୟଗଡ଼ା ଜିଲ୍ଲାର , କନ୍ଧପାଣ୍ଡୁରାଗୁଡ଼ା ଗାଁର ନରହରି ଜାଗରଙ୍ଗାଙ୍କ ୧୩ ବର୍ଷିୟ ପୁଅ ଅଦ୍ରିଆ ଜାଗରଙ୍ଗା କଟକ ମିସନାରି ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ର । କୋଭିଡ୍ କଟକଣା ଯୋଗୁଁ ସ୍କୁଲ୍ ବନ୍ଦ ରହିଥିବାରୁ ସେ ଘରକୁ ଫେରି ଆସିଥିଲେ। ତେବେ ଅଫଲାଇନ ପାଠପଢ଼ା ବନ୍ଦ ହୋଇଯିବା କାରଣରୁ ଅନଲାଇନ କ୍ଲାସ ହେଉଥିଲା। ହେଲେ ଅନଲାଇନ କ୍ଲାସ ପାଇଁ  ଗାଁରେ ମୋବାଇଲ ନେଟୱର୍କ ରହୁ ନଥିଲା। ଏବଂ ଛାତ୍ର ଜଣକ କ୍ଲାସ କରିବା ପାଇଁ ନିୟମିତ ଭାବେ ଘର ଠାରୁ ଅଳ୍ପ ଦୂରରେ ଥିବା ଗୋଟିଏ ପାହାଡ଼ ଉପରକୁ ଚଢି ସେଠାରେ ପାଠ ପଢି ଘରକୁ ଫେରୁଥିଲେ।

ସବୁଦିନ ଭଳି ଅଦ୍ରିଆ ଏକୁଟିଆ ମୋବାଇଲ ଫୋନ୍‌ ନେଇ ଅନଲାଇନ କ୍ଳାସ କରିବା ପାଇଁ ପାହାଡ଼ ଉପରକୁ ଚଢିଥିଲେ। ତେବେ ସଂଧ୍ୟା ପ୍ରାୟ ୫ଟା ସମୟରେ ଗୋଟିଏ ପଥର ଉପରେ ବସି ପାଠ ପଢୁଥିଲେ। ଏହି ସମୟରେ ହଠାତ୍‌ ସେ ବସିଥିବା  ପଥରଟି ହଠାତ୍ ଧସି ଯାଇଥିଲା। ଯାହାଫଳରେ ଭାରସାମ୍ୟ ହରାଇ ଅଦ୍ରିଆ ତଳକୁ ଖସି ପଡ଼ିଥିଲେ। ପାହାଡ଼ରୁ ଖସି ତାଙ୍କର ଡାହାଣ ଗୋଡ଼ ସଂପୂର୍ଣ୍ଣ ଭାଙ୍ଗି ଯାଇ ଗୁରୁତର ଆହତ ହୋଇଥିଲା। ଏହା ପରେ ପଦ୍ମପୁର ଅଗ୍ନିଶମ ବିଭାଗକୁ ଡକାଯାଇଥିଲା। ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ଛାତ୍ରଙ୍କୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। 

ପ୍ରାଥମିକ ଚିକିତ୍ସା ସତ୍ତ୍ବେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ଆସିବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜକୁ ରେଫର କରାଯାଇଥିଲା। ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ବ୍ରହ୍ମପୁର ନେବା ପୂର୍ବରୁ ଅଦ୍ରିଆଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଏହି ଦୁଃଖଦ ଘଟଣା ପରେ ପରିବାର ଲୋକ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏ ନେଇ ପୁଲିସ ନିକଟରେ କୌଣସି ସୂଚନା ନଥିବା ବେଳେ ଥାନାରେ କେହି ଅଭିଯୋଗ କରି ନଥିବା ଜଣାପଡ଼ିଛି।

Related Posts