ଜାମିନ ଆବେଦନର ଶୁଣାଣି ନ କରିବା ଅଭିଯୁକ୍ତଙ୍କ ଅଧିକାର ଓ ସ୍ୱତନ୍ତ୍ରତାର ଉଲ୍ଲଙ୍ଘନ: ସୁପ୍ରିମକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ହାଇକୋର୍ଟ ଅଭିଯୁକ୍ତମାନଙ୍କର ଜାମିନ ଆବେଦନ ଶୁଶାଣି ନକରିବାକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିବା ସହ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଦୀର୍ଘଦିନ ଧରି ଅଭିଯୁକ୍ତମାନଙ୍କର ଜାମିନ ଆବେଦନର ଶୁଣାଣି ନ ହେବା ସେମାନଙ୍କର ଅଧିକାର ଓ ସ୍ୱତନ୍ତ୍ରତାର ଉଲ୍ଲଙ୍ଘନ। ଏହା ଦ୍ବାରା ଅଭିଯୁକ୍ତମାନଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରିବ। ଏଭଳି ମହାମାରୀ ସମୟରେ ମଧ୍ୟ ଅଭିଯୁକ୍ତମାନଙ୍କ ଜାମିନ ଆବେଦନର ଶୁଣାଣି ନକରିବା ଏକ ଚିନ୍ତାଜନକ ବିଷୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଭି ରାମାସୁବ୍ରମଣ୍ୟନଙ୍କ ଏକ ବେଞ୍ଚ ପଞ୍ଜାବ ଓ ହରିଆଣା ହାଇକୋର୍ଟ ବର୍ଷରୁ ଅଧିକ ସମୟ ହେଲା ଜଣେ ବ୍ୟକ୍ତିଙ୍କ ଜାମିନ ଆବେଦନର ଶୁଣାଣି କରୁ ନଥିବାରୁ ଚିନ୍ତା ପ୍ରକଟ କରିଛନ୍ତି। ଅଭିଯୁକ୍ତଙ୍କ ଜାମିନ ଆବେଦନର ତ୍ୱରିତ ଶୁଣାଣିକୁ ହାଇକୋର୍ଟ ଅଗ୍ରାହ୍ୟ କରିବାରୁ ଅଭିଯୁକ୍ତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି, ସାଧାରଣତଃ ଆମେ ହାଇକୋର୍ଟମାନଙ୍କ ଅନ୍ତରୀଣ ଆଦେଶ ଉପରେ ହସ୍ତକ୍ଷେପ କରି ନଥାଉ। କିନ୍ତୁ ଏହି ମାମଲାରେ ଆମେ ହସ୍ତକ୍ଷେପ କରିବାକୁ ବାଧ୍ୟ ହେଉଛୁ, କାରଣ ସିଆରପିସିର ୩୪୯ ସେକସନ୍‌ରେ ଜାମିନ ଆବେଦନର ଶୁଣାଣି ଏକ ବର୍ଷରୁ ଅଧିକ ସମୟ ହେବ ପଡ଼ି ରହିଛି। ଜାମିନ ଆବେଦନର ଶୁଣାଣି ହେବାର ଅଧିକାର ଜଣେ ଅଭିଯୁକ୍ତଙ୍କର ରହିଛି। ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଆବେଦନର ଶୁଣାଣି ନ କରିବା, ତାଙ୍କ ଅଧିକାର ଓ ସ୍ୱତନ୍ତ୍ରତାର ଉଲ୍ଲଙ୍ଘନ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ତେଣୁ ଆମେ ଆଶା କରୁଛୁ ଯେ ହାଇକୋର୍ଟ ଯଥାଶୀଘ୍ର ଅଭିଯୁକ୍ତଙ୍କ ଆବେଦନର ଶୁଣାଣି କରନ୍ତୁ ଯାହାଦ୍ୱାରା ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରିବ। ଏଥିସହ ତାଙ୍କୁ ମିଳିଥିବା ଅଧିକାର ଯେମିତି କ୍ଷୁଣ୍ଣ ନ ହେବ ।

Related Posts