ରାସ୍ତା ନଥିବାରୁ ମହାକାଳପଡାରେ କାନ୍ଧ ଭାରରେ ବୁହାହେଲେ ରୋଗୀ : ହସ୍ପିଟାଲ ଯିବା ବାଟରେ ଚାଲିଗଲା ଜୀବନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗ୍ରାମୀଣ ବିକାଶକୁ ନେଇ ରାଜ୍ୟ ସରକାରଙ୍କ ବଡ ବଡ ଘୋଷଣା ସତ୍ତ୍ୱେ ଆଜି ଗାଁରେ ବିକାଶ ପହଞ୍ଚି ପାରିନି। ଗାଁ କୁ ରାସ୍ତା ନଥିବାରୁ ପୁଣି ଥରେ କାନ୍ଧ ଭାରରେ ଦୁଇ କିଲୋମିଟର ବୁହାହେଲା ରୋଗୀ। ତେବେ ହସ୍ପିଟାଲରେ ପହଞ୍ଚିବାରେ ବିଳମ୍ବ ହେବାରୁ ରୋଗୀଙ୍କ ମୃତ୍ୟୁ ଘଟିଛି। ଘଟଣା ହେଉଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅଞ୍ଚଳର। ମହାକାଳପଡା ବ୍ଲକର ପେଟଛେଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲୁଣିମାଠିଆକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଫଳରେ ରୋଗୀଙ୍କ ସମ୍ପର୍କୀୟ ମାନେ ତାଙ୍କୁ କାନ୍ଧ ଭାରରେ ଦୁଇ କିଲୋମିଟର ବୋହିଥିଲେ । ତେବେ ଡାକ୍ତରଖାନାରେ ପହଞ୍ଚିବାରେ ବିଳମ୍ବ ହେତୁ ରୋଗୀର ଜୀବନ ଚାଲିଯାଇଛି। ମୃତକଙ୍କ ନାମ ହେଉଛି ନରୋତ୍ତମ ନାୟକ।

ନରୋତ୍ତମ ଦିର୍ଘ ଦିନ ହେବ ପକ୍ଷାଘାତ ରୋଗରେ ପିଡିତ ଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସକୁ ଫୋନ କରି ଡକାଯାଇଥିଲା। କିନ୍ତୁ ଗାଁକୁ ରାସ୍ତା ନଥିବାରୁ ୨ କିଲୋମିଟର ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା। ରୋଗୀଙ୍କ ସମ୍ପର୍କୀୟ ତାଙ୍କୁ କାନ୍ଧ ଭାରରେ ବୋହି ଆମ୍ବୁଲାନ୍ସ ପାଖକୁ ଯାଇଥିଲେ। ତେବେ ଦୁର୍ଭାଗ୍ୟବଶତଃ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ରୋଗୀ ପ୍ରାଣ ହରାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆଜି ପର୍ଯ୍ୟନ୍ତ ମଧ୍ୟ ସେ ଗାଁକୁ ସୁଗମ ସଡକ ବ୍ୟବସ୍ଥା ନାହିଁ । ସେହି ଗାଁ ରେ ୩୦୦ ରୁ ଅଧିକ ଲୋକେ ବସବାସ କରନ୍ତି ତାଙ୍କୁ ଏଯାବତ ପକ୍କା ଘର ଖଣ୍ଡିଏ ବି ମିଳିନି, ପାଇଖାନାର ସୁବିଧା ମଧ୍ୟ ନାହିଁ। ପିଲାମାନେ ସ୍କୁଲ ମଧ୍ୟ ଯାଇପାରୁ ନାହାନ୍ତି କାରଣ ବର୍ଷା ଦିନେ ରାସ୍ତା ନଥିବାରୁ ବାହାରକୁ ବାହାରି ପାରନ୍ତି ନାହିଁ।

Related Posts