ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲାଏ ଡିଟେକ୍ସନ ଟେଷ୍ଟରେ ମଧ୍ୟ ମିଛ କହି ସମସ୍ତଙ୍କୁ ଭୂଆଁ ବୁଲାଇଲା ନକଲି ଡାକ୍ତର ରମେଶ ସ୍ୱାଇଁ । ତେବେ ଆଜି ମିଳିଥିବା ଲାଏ ଡିଟେକ୍ସନ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ସେପଟେ ତାକୁ ପୁଣି ଥରେ ୫ ଦିନିଆ ରିମାଣ୍ଡରେ ଅଣାଯାଇଛି। ତା’ର ମୁଖ୍ୟ ସହଯୋଗୀ ବିଶ୍ବରଞ୍ଜନକୁ ମଧ୍ୟ ଏହି ରିମାଣ୍ଡରେ ଅଣାଯାଇଛି। ସେମାନଙ୍କୁ ମୁହାଁମୁହିଁ ଜେରା କରି ପୁଲିସ ସତ ବାହାର କରିବ ବୋଲି ଆଶା କରିଛି। ରମେଶକୁ ଗିରଫ କରାଯିବା ପରଠାରୁ ବିଭିନ୍ନ ସମୟରେ ରିମାଣ୍ଡ୍ରେ ଅଣାଯାଇଥିଲା। ସବୁଥର ଜେରା ବେଳେ ତା’ର ଉତ୍ତର ସନ୍ତୋଷଜନକ ନଥିଲା। ମହା ଧୂର୍ତ୍ତ ରମେଶ ପୁଲିସ ପ୍ରଶ୍ନକୁ ବଡ଼ ଚତୁରତାର ସହ ଏଡ଼ାଇ ଚାଲିଥିଲା। ସେ ମିଛ କହୁଛି ବୋଲି ପୁଲିସ ଜାଣୁଥିଲେ ବି କିଛି ଉପାୟ ନଥିଲା।
ତେଣୁ ପୁଲିସ ଶେଷ ଅସ୍ତ୍ର ଭାବେ ଷ୍ଟେଟ୍ ଫୋରେନ୍ସିକ୍ ଲାବରେଟୋରିରେ ଲାଏ ଡିଟେକ୍ସନ ପରୀକ୍ଷା କରାଇଥିଲା। ମିଛଧରା ଯନ୍ତ୍ର ଆଗରେ ରମେଶ ସତ କହିବାକୁ ବାଧ୍ୟ ହେବ ବୋଲି ପୁଲିସ ଭାବିଥିଲା। ତେଣୁ ବିବାହ ଠାରୁ ଆରମ୍ଭ କରି ଆର୍ଥିକ କାରବାର, ଠକେଇ, ତା’ ସହ ସମ୍ପୃକ୍ତ ଅନ୍ୟମାନଙ୍କୁ ନେଇ କମିସନରେଟ୍ ପୁଲିସ ପକ୍ଷରୁ ବିଭିନ୍ନ ଦିଗ ଉପରେ ପ୍ରାୟ ଶହେରୁ ଅଧିକ ପ୍ରଶ୍ନ କରାଯାଇଥିଲା। ମାତ୍ର ପୁଲିସ ଆଶା ସେମିତି ଆଶାରେ ରହିଗଲା। ଧୂର୍ତ୍ତ ରମେଶ ମିଛଧରା ଯନ୍ତ୍ର ସମ୍ମୁଖରେ ବି ମିଛ କହିବା ପାଇଁ ପଛେଇ ନଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।