ବାଂଲାଦେଶର ଢାକାରେ ଏକ ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ; ୬ଜଣ ଜୀବନ୍ତ ଦଗ୍ଧ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାଂଲାଦେଶର ରାଜଧାନୀ ଢାକାରେ ଏକ ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଅଗ୍ନିକାଣ୍ଡରେ ୬ଜଣ ଜିଅନ୍ତା ଜଳି ଯାଇଥିବା ସୂଚନା ମିଳିଛି। ଢାକାର ଚୌକବଜାର ଅଞ୍ଚଳରେ ସୋମବାର ଅପରାହ୍ନରେ ଏହି ଅଗ୍ନିକାଣ୍ଡ ଘଟଣା ଘଟିଛି। ତେବେ ସୂଚନା ଅନୁସାରେ କାରଖାନାର ତଳ ମହଲାରେ ବାରିସାଲ ହୋଟେଲ ରହିଛି। ଏଠାରେ ରୋଷେଇ ଚାଲିଥିବାବେଳେ ଏକ ସିଲିଣ୍ଡର ହଠାତ ବିସ୍ଫୋରଣ ହୋଇଥିଲା।ଫଳରେ ହୋଟେଲର ଚାରିଆଡେ ନିଆଁ ବ୍ୟାପୀ ଯାଇଥିଲା। ସେଠାରେ କାମ କରୁଥିବା ୬ କର୍ମଚାରୀ ଭିତରେ ଫସି ରହିଥିଲେ। ଫଳରେ ନିଆଁରେ ପୋଡି ହୋଇ ମୃତ୍ୟୁମୁଖରେ ପଡ଼ିଥିଲେ। ତତକ୍ଷଣାତ ପ୍ଲାଷ୍ଟିକ କାରଖାନାକୁ ନିଆଁ ବ୍ୟାପୀ ଯାଇଥିଲା।

ପ୍ଲାଷ୍ଟିକଗୁଡିକର ଜଳିବା କ୍ଷମତା ଅଧିକ ଥିବାରୁ ଶୀଘ୍ର ନିଆଁ ଧରିଥିଲା ଓ ଜଳିବାରେ ଲାଗିଥିଲା। ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ତତକ୍ଷଣାତ୍ ପଦକ୍ଷେପ ନିଆଯାଇଥିଲା। ବିଭାଗୀୟ ନିର୍ଦ୍ଦେଶକ ଜିଲୁ ରେହମାନଙ୍କ ନେତୃତ୍ବରେ କର୍ମଚାରୀମାନେ ୧୦ ଅଗ୍ନିଶମ ଗାଡି ଜରିଆରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ମୃତକଙ୍କ ମଧ୍ୟରୁ ୪ଜଣଙ୍କୁ ଚିହ୍ନଟ କରାଯାଇଛି ସେମାନେ ହେଲେ ଓସମାନ, ବିଲାଲ, ସୁପନ ଓ ସରିଫ। ତେବେ ଦୁଇଜଣ ଅଧିକ ଜଳିଯାଇଥିବାରୁ ଚିହ୍ନଟ କରାଯାଇପାରୁନାହିଁ ବୋଲି ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Related Posts