କଂଗ୍ରେସ ବିପର୍ଯ୍ୟୟ ପାଇଁ ଏହାକୁ ବି ଏକ କାରଣ ବୋଲି କୁହାଯାଉଛି

ସତ୍ୟପାଠ ବ୍ୟୁରୋ : କାହିଁକି ହାରିଲା କଂଗ୍ରେସ ତାହାର କାରଣ ଖୋଜୁଛି ଦଳ । କମିଟି , ସବ କମିଟି କରି ସମୀକ୍ଷା କରୁଛି, ଅନୁଧ୍ୟାନ କରୁଛି । ହେଲେ ଦଳ ଭିତରୁ ଏବେ ଯେଉଁ କଥା ଗୁମୁରି ଗୁମୁରି ପଦାକୁ ଆସିଛି ତାହା ହେଲା କିଛି ବରିଷ୍ଠ ନେତା ନିଜ ପିଲାଙ୍କୁ ଥଇଥାନ କରିବାକୁ ଚାହିଁଥିଲେ କିନ୍ତୁ ଏହାର ଫଳ ବାସ୍ତବତା ଠାରୁ କିଛି ଅଲଗା ଥିଲା ।

୨୦୧୯ ନିର୍ବାଚନରେ ଘୋର ବିପର୍ଯ୍ୟୟର ସାମ୍ନା କରିଛି କଂଗ୍ରେସ । କେନ୍ଦ୍ରରୁ ନେଇ ରାଜ୍ୟ ଯାଏ ସବୁଠି କେବଳ ପରାଜୟ ଆଉ ପରାଜୟ । ତେବେ ପରାଜୟ ପଛରେ ଅନେକ କାରଣ ଥିଲେ ବି ରାଜନୈତିକ ମହଲରେ କିନ୍ତୁ ନେତାଙ୍କ ପିଲାଙ୍କୁ ଏହାର ବଡ କାରଣ ବୋଲି କୁହାଯାଉଛି । କାରଣ ପ୍ରଥମ ଥର ପାଇଁ କଂଗ୍ରେସ ବିରୋଧୀ ଦଳର ନେତା ପଦ ହରାଇଛି । ମାନେ କାଉ ବସିବାକୁ ତାଳ ଖସିଛି ।

ରାହୁଲ ଗାନ୍ଧୀ ହୁଅନ୍ତୁ କି ବୈଭବ ଗେହଲଟ । ଅନେକ ନାମଜାଦା ବାପାଙ୍କ ପିଲାଏ ହାରିଛନ୍ତି ଉଣେଇଶି ନିର୍ବାଚନରେ । ସାରା ଦେଶର ନଜର ଆମେଥି ଉପରେ ଥିଲାବେଳେ ୩୦ହଜାର ଭୋଟରେ ରାହୁଲ ଗାନ୍ଧୀ ପରାସ୍ତ ହେଲେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟ ୨ଲକ୍ଷ ୭୫ହଜାର ଭୋଟରେ ହାରିଲେ ଯୋଧପୁର ଆସନରୁ । ଆଉ କିଛି ଉଦାହରଣ ବି ନିଆଯାଇପାରେ । ମାଧବାରାଓ ସିନ୍ଧିଆଙ୍କ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମୁରଲୀ ଦେଓରାଙ୍କ ପୁଅ ମିଲିନ୍ଦ ଦେଓରା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀ, ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାର ପରାଜିତ ହୋଇଛନ୍ତି ।

ଓଡିଶା କଂଗ୍ରେସରେ ବି ଏ ଫ୍ୟାମିଲି ଆଫାୟାର କିଛି କମ୍ ନୁହେଁ । ରାଜ୍ୟ ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱର ସାଂସଦ ଭାବେ ନିର୍ବାଚନ ଲଢ଼ିଲେ ଓ ମାତ୍ର ୧୫ ପ୍ରତିଶତ ଭୋଟ ପାଇ ତିନି ନମ୍ବରରେ ରହିଲେ । ବରିଷ୍ଠ ନେତା ଭକ୍ତ ଦାସଙ୍କ ପୁଅ ସାଗର ଚରଣ ଦାସ ଭବାନୀପାଟଣା ବିଧାନସଭା ଆସନରେ ଲଢ଼ି ୨୧ ପ୍ରତିଶତ ଭୋଟ ପାଇ ତିନି ନମ୍ବରରେ ରହିଲେ । ଜର୍ଜ ତିର୍କୀ ପୁଅ ରୋହିତ ଜୋଶେଫ ତିର୍କୀ ବି ବୀରମିତ୍ରପୁର ବିଧାନସଭା ଆସନରୁ ଲଢ଼ି ତୃତୀୟ ସ୍ଥାନରେ ରହିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସାନ ଝିଅ ଅମିତା ସୁନ୍ଦରଗଡ ବିଧାନସଭା କ୍ଷେତ୍ରରେ ମାତ୍ର ୧୨ଭୋଟ ପାଇ ଅମାନତ ହରାଇଲେ । ବରିଷ୍ଠ ନେତା ଅନନ୍ତ ସେଠୀ ଝିଅ ମଧୁମିତା ସେଠୀଙ୍କୁ ମିଳିଥିଲା ଭଦ୍ରକ ସାଂସଦ ଟିକେଟ । ହେଲେ ଇଏ ବି ୧୭ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ରହିଲେ । ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ମଧ୍ୟ ବଲାଙ୍ଗୀର ସାଂସଦ ଭାବେ ଲଢ଼ି ୨ଲକ୍ଷ ୭୧ହଜାର ଭୋଟ ପାଇ ତିନି ନମ୍ବରରେ ରହିଲେ ।

ବାପା ବି ହାରିଲେ, ପିଲାଏ ବି ହାରିଲେ । କେହି ଜଣେ ତିନି ନମ୍ବରରୁ ଉଧେଇଲେନି । କିଛି ପୁରୁଖା ଓ ବରିଷ୍ଠଙ୍କୁ ଅଣଦେଖା କରି ନିଜ ପିଲାଙ୍କୁ ଥଇଥାନ କରିବା ପାଇଁ ଯେଉଁ ପ୍ରୟାସ ହୋଇଥିଲା ତା ତ ଗଲା, ତା ସହ ଦଳର ପରିଚୟ ବି ମାଟିରେ ମିଶିଲା । ନା ହାତ ଉଠିଲା ନା କଂଗ୍ରେସ ହସିଲା । ବରଂ ଲୋକେ ହସିଲେ ଆଉ କହିଲେ ହାତ ପାଇଁ ଅଶୁଭ ନେତାଙ୍କ ଛୁଆ…

Related Posts