ଦଳର ସଫଳତା ପଛରେ ଏମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ

ସତ୍ୟପାଠ ବ୍ୟୁରୋ : ରାଜ୍ୟ ବିଜେପିର ତିନିଜଣଙ୍କୁ ମିଳିବ ପୁରସ୍କାର । ନିର୍ବାଚନ ପରିଚାଳନାରେ ପ୍ରମୁଖ ଭୁମିକା ଗ୍ରହଣ କରି ଜନମତକୁ ନିଜ ପଟକୁ ନେବାରେ ବେଶ ସକ୍ଷମ ହୋଇଥିବା ତିନି ନେତାଙ୍କୁ ଦିଆଯିବ ନୂଆ ଦାୟିତ୍ୱ । ଏଭଳି କିଛି ଚର୍ଚ୍ଚା ଏବେ ବିଜେପି ମହଲରେ ଜୋର ଆଲୋଚନା ହେଉଛି ।

ଗୋଲକ ମହାପାତ୍ର, ସମୀର ମହାନ୍ତି ଓ ଲେଖାଶ୍ରୀ ସାମନ୍ତସିଂହାର । ରାଜ୍ୟ ବିଜେପିର ତିନି ଟାଣୁଆ ମୁଖପାତ୍ର । ଘନ ଘନ ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନବାଣରେ ଘାଇଲା କରନ୍ତି ଶାସକ ଦଳକୁ । ନିର୍ବାଚନ ସମୟରେ ଟିକେଟ ନପାଇବା ସତ୍ୱେ ଟିକିଏ ବି ମନଉଣା ନକରି ଯେଭଳି ପରିଶ୍ରମ କରିଛନ୍ତି ତାହା କାହାକୁ ଅଛପା ନାହିଁ । ଅନ୍ୟ ଦଳ ନେତାଏ ବି ଏମାନଙ୍କ ପରିଶ୍ରମକୁ ତାରିଫ କରନ୍ତି । ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରଥମେ ଏହି ତିନିଜଣ ହିଁ ସାମ୍ନାକୁ ଆସି ବିତର୍କରେ ଭାଗ ନିଅନ୍ତି ।

ମିଡିଆ ଠାରୁ ନେଇ ସୋସିଆଲ ମିଡିଆ ଯାଏ ସବୁକୁ ଏମାନେ ହିଁ ପରିଚାଳନା କରୁଥିଲେ ନିର୍ବାଚନ ବେଳେ । ସୋସିଆଲ ମିଡିଆ ନିଜ ନିଜ ପେଜ୍ରେ ଘାଂଟି ପକାଉଥିଲେ । ଲେଖାଶ୍ରୀ ତ ଆଉ ଦୁଇପାଦ ଆଗକୁ ଯାଇ ବିଭିନ୍ନ ସ୍ଥାନକୁ ଗସ୍ତକୁ ଫେସବୁକ ଲାଇଭ କରି ଲୋକଙ୍କ ନିକଟରେ ବାର୍ତ୍ତା ରଖୁଥିଲେ । ଫଳରେ ସରକାରୀ ଫାଇଲ ତଳେ ଚପି ଯାଉଥିବା ଅନେକ ଅକୁହା କଥା ଏମାନଙ୍କ ଦ୍ୱାରା ଲୋକଙ୍କ ପାଖରେ ପହଂଚିଥିଲା । ଆଉ ଯାହାର ପରିଣାମ ହେଲା ବିଜେପିର ସଫଳତା ।

କୁହାଯାଇପାରେ କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱଙ୍କ ବିନା ଦଳ ସଫଳତା ପାଇ ନଥାନ୍ତା କିନ୍ତୁ ଦଳ ଭିତରେ ଚର୍ଚ୍ଚା ଚାଲିଛି ବିଜେପିର ସଫଳତା ପାଇଁ ସିଂହଭାଗ ଶ୍ରେୟ ଯିବ ଏହି ତିନି ନେତାଙ୍କ ପାଖକୁ । ନିର୍ବାଚନ ସମୟରେ ବିଜେଡିକୁ କାଉଣ୍ଟର କରିବାର ତରିକାକୁ ବେଶ ଭଲଭାବେ ଆପଣାଇ ଥିଲେ ଏମାନେ । ମାନେ ନିର୍ବାଚନ କମିଶନଙ୍କ ପାଖକୁ ବିଭିନ୍ନ ଅଭିଯୋଗ ନେଇ ଦିନକୁ ତିନି ଚାରିଥର ଗସ୍ତ କରି ନାକେଦମ୍ କରି ପକାଇଥିଲେ । ଆଉ ଯେଉଁଦିନ ସାରସକଣା ବିଧାୟକ ପ୍ରାର୍ଥୀ ଡା. ଭୁଦାନ ମୁର୍ମୁଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ଦାବୀରେ ନବୀନ ନିବାସରେ ଲେଖାଶ୍ରୀ ଓ ସମୀର ମହାନ୍ତି ପହଂଚିଥିଲେ ସେଦିନ ପୁରା ଓଡିଶା ହତବାକ ହୋଇ ଯାଇଥିଲା ।

ତେଣୁ ଉଣେଇଶି ମହାସମରରେ ଏହି ତିନି ସେନାପତିଙ୍କୁ ଶୀର୍ଷ ନେତୃତ୍ୱ ପ୍ରଶଂସା କରିଥିବା ଜଣାପଡିଛି । ଖାସ ସେଇଥିପାଇଁ ଏହି ତିନି ନେତାଙ୍କୁ ଥଇଥାନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏମାନଙ୍କୁ ଜାତୀୟ ପଦବୀ କିମ୍ବା ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବା ନେଇ ବିଜେପି ଶିବିରରେ ଚର୍ଚ୍ଚା ହେବା ପରେ ଏମାନଙ୍କ ପ୍ରଶଂସକ ଓ କର୍ମୀ ଏବେ ବେଶ ଉତ୍ସାହିତ ହୋଇପଡିଛନ୍ତି । ତେବେ ଏମାନଙ୍କୁ ଶୀର୍ଷ ନେତୃତ୍ୱ କେଉଁ ଦାୟିତ୍ୱ ଦେଉଛି ତାହା ସମୟ କହିବ ।

Related Posts