ବଦଳିବ ବିଜେପି ନାରା !

ସତ୍ୟପାଠ : ୧୯ ନୁହେଁ କି ୨୧ ନୁହେଁ । ବିଜେପି ପାଇଁ ଅଶୁଭ ୧୨୦ । ଯେଉଁ ମିଶନ୧୨୦ କହି କହି ଦଳ ମାତ୍ର ୨୩ରେ ସିମୀତ ରହିଲା, ପୁଣି ସେହି ସଂଖ୍ୟା କଥା ଆଉ ନଉଠୁ । ବରଂ ତା ବଦଳରେ ଆଉ କିଛି ସଂଖ୍ୟା କୁହାଯାଉ । ଭାରତୀୟ ଜନତା ପାର୍ଟି ଭିତରୁ ଏମିତି କିଛି ଗୁଂଜରଣ ଏବେ ଶୁଣିବାକୁ ମିଳୁଛି ।

ସମ୍ବର୍ଦ୍ଧନା ସଭା ହେଉ କି ସମୀକ୍ଷା ବୈଠକ । ବିଜେପି ଓଡିଶା ଶାଖାର ଅଲିଖିତ ନେତୃତ୍ୱ ନେଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ମିଶନ ୧୨୦ କଥା ଉଠାଉଛନ୍ତି । ମିଶନ ପୁରା ନହେବା ଯାଏ ପଛକୁ ହଟିବୁନି ବୋଲି କହୁଛନ୍ତି । ଏକଥା ଆଜିର ନୁହେଁ । ପଂଚାୟତ ନିର୍ବାଚନ ବେଳ ଠୁ ଏ ନାରା ଏମିତି ଦିଆ ଚାଲିଛି । ବହୁ ପରିଶ୍ରମ ବି କରାଗଲା । ଗଣ୍ଡା ଗଣ୍ଡା ରାଷ୍ଟ୍ରୀୟ ଚେହେରା ଆସି ଡେରା ପକାଇଲେ । ପ୍ରଚାର ପ୍ରସାର କରାଯାଇ ଜନମତକୁ ନିଜ ଆଡକୁ ନେବାକୁ ସବୁ ଚେଷ୍ଟା କରାଗଲା । ହେଲେ ଫଳ ବାହାରିଲା ବେଳକୁ ବାପ-ପୁଅ ରାତି ସାରା ଅନିଦ୍ରା ମୁଗୁରା ମୁହଁ ମେଲା ପରି ହେଲା । ସାଧାରଣ ନିର୍ବାଚନରେ ଦଳ ମାତ୍ର ୨୩ଟି ବିଧାୟକଙ୍କୁ ଜିତାଇଲା । ସେମାନଙ୍କ ଭିତରୁ ଅଧିକାଂଶ ଏକଦମ୍ କମ୍ ଭୋଟରେ ଜିତିଛନ୍ତି ।

ତେବେ ଦଳ ଭିତରେ କିଛି ଜଣଙ୍କ କହିବା କଥା ଏଇ ମିଶନ ୧୨୦ ଶବ୍ଦ ଟା ଦଳକୁ ସୁହାଉନି । ୧୨୦ ଏମଏଲଏ ଜିତିବେ କଣ ବରଂ ତାଠୁ ଅଧିକ ମାନେ ୧୨୪ ଜଣ ହାରିଗଲେ । ରାଧାରାଣୀ ପଣ୍ଡା, କେ.ଭି ସିଂଦେଓଙ୍କ ଭଳି ଜିତିବା ଲୋକ ବି ହାରିଗଲେ । ଆଉ ବୈଜୟନ୍ତ ପଣ୍ଡା କି ସମ୍ବିତ ପାତ୍ରଙ୍କ କଥା ନକହିବା ଭଲ । ଅନ୍ୟପଟେ ବିଜେଡିର ବିଶେଷ କିଛି କ୍ଷତି ହୋଇନି । ମାତ୍ର ୫ଟା ସିଟ୍ କମିଛି, ତେଣୁ ଦେଖିବାକୁ ଗଲେ ଗୋଟିଏ ଦଳ ପାଇଁ ସେ ଫଳାଫଳ ସେମିତି କିଛି ମାଇନା ରଖୁନି । ଓଲଟି ମିଶନ ୧୨୦ କଥା କହିଲେ ବିଜେଡି ହସୁଛି, ଇଲେଇତି କରୁଛି । ଲାଗୁଛି, କେଉଁଠି ନା କେଉଁଠି ୧୨୦ ଦଳ ପାଇଁ ଅଶୁଭ ସାବ୍ୟସ୍ତ ହେଉଛି । ତେଣୁ ଏହାକୁ ବାଦ ଦେଇ ଯେହେତୁ ଦଳ ୨୩ ବିଧାୟକ ପାଇଛି ତେଣୁ ମିଶନ ୧୨୩ ନାରା ଦିଆଯାଉ ।

Related Posts