ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କୃଷକକୁ ନେଇ ବଡ ବୟାନ ଦେଇଛନ୍ତି । ତେବେ ଅନ୍ତର୍ଜାତୀୟ ସ୍ଥିତି ଯୋଗୁଁ ସାର ପାଇଁ ଦେଶରେ ଚିନ୍ତା ବଢିଛି । ନକଲି ପେଷ୍ଟିସାଇଡ୍ ବଜାରରେ ବିକ୍ରି ହେଉଛି । ସାର କଳାବଜାରୀ ହେଲେ କାହାକୁ ଛଡ଼ାଯିବନି । ଏଥିପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ଯୋଗ ଦେଇ କିଛି ଏଭଳି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବ ରାଜ ସିଂ ଚୌହ୍ବାନ ।
ସେ ଆହୁରି ମଧ୍ୟ କହିଛନ୍ତି, ଚାଷୀ ପାଇଁ ତିଆରି ହେବ ଫାର୍ମର ଆଇଡି । ଏହି ଆଇଡିରେ ଚାଷୀଙ୍କ ସମ୍ପତ୍ତି, ପରିବାର ସଦସ୍ୟଙ୍କ ସଂଖ୍ୟା ସହ ଚାଷୀ ପାଖରେ କେତେ ଜମି ଅଛି ସବୁ ତଥ୍ୟ ରହିବ । ଏହାଦ୍ୱାରା ଚାଷୀଙ୍କୁ ଦୁଇ ମିନିଟ୍ରେ ଲୋନ୍ ମିଳି ପାରିବ । ସବୁ ରାଜ୍ୟ ଶୀଘ୍ର ଫାର୍ମର ଆଇଡି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଆଗକୁ ଅଭାବୀ ବର୍ଷା ଆଶଙ୍କା ରହିଛି । ଏଭଳି ପରିସ୍ଥିତିକୁ ନେଇ ଆଗୁଆ ପ୍ରସ୍ତୁତ ରହିବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।
