କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁଁ ଚାଷୀମାନେ ଯନ୍ତ୍ରଣା ଭୋଗୁଛନ୍ତି : ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସିଙ୍ଗୁର ଭୂମି ପୁନର୍ବାସର ବାର୍ଷିକୀ ଅବସରରେ ନୂତନ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଗୋଟେ ପଟେ ବେଙ୍ଗଲ ସରକାର କୃଷକଙ୍କ ଅଧିକାର ପାଇଁ ଲଢେଇ କରୁଥିବାବେଳେ କେନ୍ଦ୍ର ସରକାରଙ୍କ ଉଦାସୀନତା କାରଣରୁ ଚାଷୀଙ୍କୁ ଯନ୍ତ୍ରଣା ଭୋଗିବାକୁ ପଡୁଛି । ଚାଷୀ ହେଉଛନ୍ତି ସମାଜର ମେରୁଦଣ୍ଡ ତେଣୁ ସେମାନଙ୍କ କଲ୍ୟାଣ ଏବଂ ଅଧିକାର ପାଇଁ ସଂଗ୍ରାମ ଜାରି ରଖିବେ ବୋଲି ମମତା ବାନାର୍ଜୀ କହିଛନ୍ତି। ଏବଂ କୃଷକ ହେଉଛନ୍ତି ତାଙ୍କର ପ୍ରଥମ ପ୍ରାଥମିକତା । ସିଙ୍ଗୁର ଭୂମି ପୁନର୍ବାସର ବାର୍ଷିକୀ ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ବିଟ୍ କରି କହିଛନ୍ତି, ” ଆଜିର ଦିନରେ ଦଶ ବର୍ଷ ପୂର୍ବେ ଲମ୍ବା ଓ କଠିନ ସଂଘର୍ଷ ପରେ ପଶ୍ଚିମବଙ୍ଗ ବିଧାନସଭାରେ ସିଙ୍ଗୁର ଭୂମି ପୁନର୍ବାସ ବିଲ ପାରିତ ହୋଇଥିଲା । ଆମେ ଏକଜୁଟ ହୋଇ ଆମର କୃଷକଙ୍କ ଅଧିକାର ପାଇଁ ଲଢିଥିଲୁ। ଏବଂ ସେମାନଙ୍କ ଅଭିଯୋଗକୁ ସମାଧାନ କରି ସେମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛୁ । ”

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷମତାକୁ ଆସିଲା ପରେ ୨୦୧୧ ମସିହାରେ ସିଙ୍ଗୁର ଭୂମି ପୁନର୍ବାସ ବିଲ ପାରିତ କରିଥିଲେ । ୧୪ ଜୁନ୍ ୨୦୧୧ ମସିହାରେ ଏହି ବିଲ୍ ପାରିତ ହୋଇଥିଲା । ପୂର୍ବ ବାମପନ୍ଥୀ ସରକାରଙ୍କ ଦ୍ବାରା ଟାଟା ଗ୍ରୁପକୁ ଦିଆଯାଇଥିବା ହଜାର ହଜାର ଏକର ଜମିକୁ ଗ୍ରହଣ କରିଥିଲେ । ୨୦୦୬ ମସିହାରେ ପୂର୍ବ ବାମପନ୍ଥୀ ସରକାର ସେହି ସ୍ଥାନରେ ଟାଟା ଗ୍ରୁପ ଦ୍ବାରା କାର ନିର୍ମାଣ କମ୍ପାନୀ ନିର୍ମାଣ କରିବା ପାଇଁ ଏକ ହଜାର ଏକର ଜମି ଦେଇଥିଲେ । କିନ୍ତୁ ଟିଏମସି ପକ୍ଷରୁ ସେଠାରେ ଜବରଦସ୍ତ ହିଂସା ପ୍ରଦର୍ଶନ ହୋଇ ଥିଲା ସେଥିପାଇଁ ସେହି ପ୍ରକଳ୍ପ ଅଧାରେ ଅଟକିଯାଇଥିଲା । ଏହି ନିୟମକୁ ଚ୍ୟାଲେଞ୍ଜ କରି ଟାଟା ମୋଟର୍ସ କଲିକତା ହାଇକୋର୍ଟକୁ ଯାଇଥିଲା । ଏହି ଜମି ଅଧିଗ୍ରହଣକୁ ଏକ ଟ୍ରାଏଲ କୋର୍ଟ ସମର୍ଥନ କରାଯାଇଥିଲା । ଟିଏମସି ନେତୃତ୍ବାଧୀନ ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା ଆଇନ ଆବେଦନକୁ କୋର୍ଟ ଅସାମ୍ବିଧାନିକ ଘୋଷଣା କରିଥିଲେ । ଏହା ପରେ ବିବାଦ ସୁପ୍ରିମକୋର୍ଟକୁ ଯାଇଥିଲା ଏବଂ କୃଷକଙ୍କ ସପକ୍ଷରେ ରାୟ ଆସିଥିଲା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ “ଆଜି ଏହା ମୋତେ କଷ୍ଟ ଦେଉଛି ଯେ ସମଗ୍ର ଦେଶରେ ଆମର ଚାଷୀ ଭାଇମାନେ କେନ୍ଦ୍ରର ଉଦାସୀନତା ଯୋଗୁଁ ଯନ୍ତ୍ରଣା ଭୋଗୁଛନ୍ତି । ମିଳିତ ଭାବେ ଆମ ସମାଜର ମେରୁଦଣ୍ଡର ସୁସ୍ଥତାକୁ ସୁନିଶ୍ଚିତ କରିବା ପାଇଁ ଆମେ ସଂଗ୍ରାମ ଜାରି ରଖିବା ଉଚିତ୍ । ସେମାନଙ୍କର ଅଧିକାରକୁ ସମର୍ଥନ କରିବା ବୋଲି ମମତା ବାନାର୍ଜୀ କହିଛନ୍ତି । ସୂଚନାଯୋଗ୍ୟ କେନ୍ଦ୍ରର ନୂତନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ କୃଷକ ମାନେ ଦୀର୍ଘ ଦିନ ହେବ ଧାରଣାରେ ବସିଛନ୍ତି ।

Related Posts