ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ଘର ବାହାରେ ଅକାଳୀ ଦଳର ବିରୋଧ ପ୍ରଦର୍ଶନ : ସୁଖବୀର ସିଂ ଗିରଫ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଞ୍ଜାବରେ କୋଭିଡ୍ ଟୀକା ଏବଂ ମେଡିକାଲ କିଟ୍ କିଣାରେ ଅନିୟମିତତା ହୋଇଥିବା ଅଭିଯୋଗରେ ଆଜି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି ଶିରୋମଣୀ ଅକାଳୀ ଦଳ । ଅକାଳୀ ଦଳର ସୁପ୍ରିମୋ ସୁଖବୀର ସିଂହ ବାଦଲଙ୍କ ନେତୃତ୍ବରେ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଘର ବାହାରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି । ବିରୋଧ ପ୍ରଦର୍ଶନ ସମୟରେ ସେମାନେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ବଲବୀର ସିଂ ସିଦ୍ଧୁଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି। ଏହି ସମୟରେ ସୁଖବୀର ସିଂହ ବାଦଲଙ୍କ ସମେତ ଅକାଲୀ ଦଳ ଓ ନିକଟରେ ଗଠବନ୍ଧନରେ ସାମିଲ ହୋଇଥିବା ବହୁଜନ ସମାଜ ପାର୍ଟିର କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ ଥିଲେ । ତେବେ ସୁଖବୀର ସିଂହ ବାଦଲଙ୍କ ସମେତ ବିଏସପି କର୍ମୀଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ସେହିପରି ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା ଅକାଳୀ ଦଳର ନେତା ବିକ୍ରମ ସିଂ ମାଜିଥିଆଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅକାଳୀ ଦଳ ଓ ବିଏସପି କାର୍ଯ୍ୟକର୍ତ୍ତା ମାନେ ମୋହଲି ସ୍ଥିତ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଘର ନିକଟରେ ବଡ ଧରଣର ବିରୋଧ ପ୍ରଦର୍ଶନ କରିଥିଲେ । କୋଭିଡ କିଟ ଓ ଭାକ୍ସିନ୍ କିଣାରେ ଅନିୟମିତତା ଅଭିଯୋଗରେ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଂହଙ୍କୁ ହଟାଇବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ ।

ବିରୋଧ ପ୍ରଦର୍ଶନ ଏତେ ଉଗ୍ର ହୋଇଥିଲା ଯେ ଅକାଳୀ ଓ ବିଏସପି କାର୍ଯ୍ୟକର୍ତ୍ତା ମାନେ ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ଏବଂ ବିକ୍ଷୋଭକାରୀଙ୍କୁ ଅଟକାଇଵାକୁ ଯାଇ ପୋଲିସ ସେମାନଙ୍କ ଉପରକୁ ପାଣିମାଡ କରିଥିଲା । ଏହି ସମୟରେ ପୋଲିସ ସହ ପ୍ରଦର୍ଶନକାରୀଙ୍କ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିରୋଧୀ ଲଗାତର କ୍ୟାପଟେନ୍ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହି ଘଟଣାରେ ବିଏସପି ସୁପ୍ରିମୋ ମାୟାବତୀ ମଧ୍ୟ ଟ୍ବିଟ୍ କରି କ୍ୟାପଟେନ୍ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

Related Posts