ନବୀନଙ୍କୁ ଚାଷୀ ଭୟ, 2019 ପାଇଁ କୃଷକ ହେବେ ଗେମ୍‌ ଚେଞ୍ଜର !

ଚାଷୀଙ୍କ ଅସନ୍ତୋଷ ପାଇଁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ହାରିଲା ବିଜେପି ସରକାର । ନିର୍ବାଚନ ଫଳାଫଳର କିଛି ଦିନପରେ ହିଁ ବିଜୁ କୃଷକ ଜନତା ଦଳ ପୁଣି ଥରେ ଗଠନ କରାଯାଇଛି । ବିଜେଡିର ପରିବର୍ତ୍ତିତ ରଣନୀତିରୁ ସ୍ପଷ୍ଟ ନବୀନଙ୍କୁ ଏବେ ଡରାଇଲାଣି ଚାଷୀ ପ୍ରସଙ୍ଗ ।

ଏବେ ନବୀନ ସରକାରଙ୍କୁ ଘେରିଛି ଚାଷୀ ଭୟ । 2019ରେ ଗୋଟିଏ ପଟେ ରାଜନୈତିକ ଟକ୍କର । ପୂର୍ବ ଅପେକ୍ଷା ବିରୋଧୀ ବିଜେପି ଓ କଂଗ୍ରେସ ଅଧିକ ଶକ୍ତିଶାଳୀ ହୋଇଛନ୍ତି । କିନ୍ତୁ ଏଥର ଚାଷୀ ବାଜି ପାଲଟାଇ ଦେଇପାରନ୍ତି ବୋଲି ଭୟଭୀତ ଶାସକ ଦଳ । ଏହି ଭୟ ପଛରେ ରହିଛି ଚାଷୀଙ୍କ ପ୍ରତି ନବୀନ ସରକାରଙ୍କ ବର୍ଷ ବର୍ଷର ଅବହେଳାରୁ ଜନ୍ମ ନେଇଥିବା ଅସନ୍ତୋଷ ଏବଂ ଗତ କିଛି ଦିନ ତଳେ ଶେଷ ହୋଇଥିବା 5ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ।

ଖାସ୍‌ କରି ତିନିଟି ବଡ଼ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜେପିକୁ କ୍ଷମତାସୀନ କରି କଂଗ୍ରେସ ଯେଉଁଭଳି ବାଜି ମାରିଲା ତାହା ସମସ୍ତଙ୍କୁ ଚକିତ କଲା । ପୁଣି ତିନିଟିରୁ ଦୁଇଟି ବଡ଼ ରାଜ୍ୟରେ ବିଜେପି 15 ବର୍ଷ ଧରି ଶାସନ କରୁଥିଲା । କଂଗ୍ରେସର ଏହି ସଫଳତା ପଛରେ ଅନ୍ୟ କାରଣ ଅପେକ୍ଷା ଚାଷୀ କାର୍ଡ ବେଶୀ କାମ ଦେଲା ବୋଲି ଚର୍ଚ୍ଚା ହେଉଛି ।

ଏହି ସବୁ ରାଜ୍ୟରେ ଚାଷୀମାନେ ହିଁ କ୍ଷମତାସୀନ ଦଳକୁ ମଜା ଚଖାଇଲେ । ଶାସକ ଦଳ ପ୍ରତି ଥିବା ଚାଷୀଙ୍କ ଅସନ୍ତୋଷକୁ ଅସ୍ତ୍ର କଲା କଂଗ୍ରେସ । ନିର୍ବାଚନ ପ୍ରଚାରରେ ଚାଷୀଙ୍କ ପ୍ରସଙ୍ଗକୁ ପ୍ରାଥମିକତା ଦେଲା, ଆଉ ଘୋଷଣା କଲା ସରକାର ହେଲେ 10 ଦିନ ଭିତରେ ହେବ କୃଷି ଋଣ ଛାଡ଼ ।

ସେହି ତିନିଟି ରାଜ୍ୟ ସହ ଓଡ଼ିଶାକୁ ତୁଳନା କଲେ ଏଠାରେ ମଧ୍ୟ ପରିସ୍ଥିତି କିଛି ଭିନ୍ନ ନୁହେଁ । ନବୀନ ସରକାର ଚାଷୀଙ୍କ କଥା କହୁଥିଲେ ବି ବାସ୍ତବ କ୍ଷେତ୍ରରେ ସ୍ଥିତି ଭିନ୍ନ । ବର୍ଷ ବର୍ଷ ଧରି କୃଷକମାନେ ସେମାନଙ୍କ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିଆସୁଛନ୍ତି । ଗତ ମାସ ରାଜଧାନୀ ଆଡ଼କୁ ଆସୁଥିବା କୃଷକଙ୍କ ବିଶାଳ ଶୋଭାଯାତ୍ରାକୁ ଭୁବନେଶ୍ବର ଉପକଣ୍ଠରେ ସରକାର ଯେଉଁଭଳି ଦମନ କଲେ, ତାହାକୁ ନେଇ ଚାଷୀଙ୍କ ଭିତରେ ଅସନ୍ତୋଷ ରହିଛି ।

ଏସବୁକୁ ନେଇ ଚାଷୀଙ୍କ ପ୍ରସଙ୍ଗ ହିଁ 2019ରେ ଗେମ୍‌ ଚେଞ୍ଜର ହୋଇପାରେ । କିନ୍ତୁ ସବୁବେଳେ ସ୍ମାର୍ଟ ପଲିଟିକ୍‌ସ କରିଆସିଥିବା ନବୀନଙ୍କ ବିଜେଡି ଆଗକୁ ଚାଷୀଙ୍କ ପ୍ରସଙ୍ଗ ଧରିନେଇଛି । ଏଥର ରାଜ୍ୟ ଚାଷୀଙ୍କ ସ୍ବାର୍ଥ ପାଇଁ ସିଧା ଦିଲ୍ଲୀରେ ଫାଇଟ କରିବାକୁ ବାହାରି ପଡ଼ିଛି । ଧାନର ଏମ୍‌ଏସ୍‌ପି ବୃଦ୍ଧି ଓ ସ୍ବାମୀନାଥନ କମିଟି ରିପୋର୍ଟ ଲାଗୁ କରିବାକୁ କେନ୍ଦ୍ର ନିକଟରେ ଦାବି କରିବାକୁ କହିଛି ବିଜେଡି । ଦୁର୍ଭାଗ୍ୟର କଥା ରାଜଧାନୀ ଭିତରକୁ ଚାଷୀଙ୍କ ପ୍ରବେଶ କରିବାକୁ ଦେଇ ନ ଥିବା ବିଜେଡି ସରକାର ଏବେ ଚାଷୀଙ୍କ ସ୍ବାର୍ଥ ପାଇଁ କୁଆଡ଼େ ଜାନୁଆରୀ ୮ରେ ପାର୍ଲାମେଣ୍ଟ ଘେରାଉ କରିବ ।

ଚାଷୀଙ୍କ ଅସନ୍ତୋଷ ପାଇଁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ହାରିଲା ବିଜେପି ସରକାର । ନିର୍ବାଚନ ଫଳାଫଳର କିଛି ଦିନପରେ ହିଁ ବିଜୁ କୃଷକ ଜନତା ଦଳ ପୁଣି ଥରେ ଗଠନ କରାଯାଇଛି । ବିଜେଡିର ଏହି ପରିବର୍ତ୍ତିତ ରଣନୀତିରୁ ସ୍ପଷ୍ଟ ନବୀନଙ୍କୁ ଏବେ ଡରାଇଲାଣି ଚାଷୀ ପ୍ରସଙ୍ଗ । ତେଣୁ ଆଗୁଆ ସତର୍କ ହୋଇଛି ବିଜେଡି ।

Related Posts