
ଦେଶର ଯୁବ ବର୍ଗଙ୍କ ପାଇଁ ଏକ ଭଲ ଖବର । କେନ୍ଦ୍ର ସରକାର ଖୁବ୍ ଶୀଘ୍ର ବିଏ, ବିକମ୍ ଓ ବିଏସ୍ସି ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି, ଯାହା ଫଳରେ ଛାତ୍ରଛାତ୍ରୀମାନଙ୍କୁ ଚାକିରି ମିଳିବାରେ ସହଜ ହେବ । କେନ୍ଦ୍ର ସରକାର ଏକ ଆପ୍ରେନଟେସିପ୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେବ ଗ୍ରାଜୁଏଟ୍ ମାନଙ୍କୁ ରୋଜଗାର କ୍ଷମ କରିବା.
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି ଯେ ବିଦ୍ୟାର୍ଥୀ ମାନଙ୍କୁ ସେମାନଙ୍କ ପାଠ୍ୟକ୍ରମ ଛଡ଼ା 1000 ଘଣ୍ଟାର ଅତିରିକ୍ତ ପାଠ୍ୟକ୍ରମ ପ୍ରଦାନ କରାଯିବ । ଏହା ଫଳରେ ସେମାନଙ୍କୁ ବ୍ୟକ୍ତିଗତ ବିକାଶ, କମ୍ୟୁନିକେସନ୍ ସ୍କିଲ୍ ବାବଦରେ ପାଠ ପଢ଼ାଯିବ, ଯାହା ଫଳରେ ଡିଗ୍ରୀ ହାସଲ କରିବା ପରେ ସେମାନଙ୍କୁ ଚାକିରି ମିଳିପାରିବ ।
ସେହିପରି ନୂଆ ଶିକ୍ଷା ନୀତି ବାବଦରେ ମଧ୍ୟ କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଡିଜିଟାଇଜେସନ୍କୁ ନେଇ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ମନ୍ତ୍ରୀ । କହିଛନ୍ତି କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଅପରେସନ୍ ଡିଜିଟାଲ୍ ବ୍ଲାକ୍ବୋର୍ଡ ଆରମ୍ଭ କରିବାକୁ ଯାଉଛନ୍ତି ।
ଏହି ଅବସରରେ ପିଲାମାନଙ୍କୁ ଦିଆଯାଉଥିବା ହୋମ ୱାର୍କ ବାବଦରେ ମଧ୍ୟ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଲେ ଯେ ଛୋଟ ଛୋଟ ପିଲାଙ୍କୁ ଯେତେ କମ୍ ସମ୍ଭବ ହୋମୱାର୍କ ଦିଆଯିବା ଉଚିତ ।
କେନ୍ଦ୍ରମନ୍ତ୍ରୀ କହିଲେ ଯେ ବାପା ମା’ଙ୍କ ଦ୍ବାରା ପିଲାଙ୍କ ପ୍ରୋଜେକ୍ଟ କାମ ସମ୍ପୂର୍ଣ୍ଣ କରିବା ପ୍ରକ୍ରିୟା ବନ୍ଦ କରାଯିବା ଉଚିତ । ମନ୍ତ୍ରୀ କହିଛନ୍ତି ଖୁବ୍ ଶୀଘ୍ର ନୂଆ ଶିକ୍ଷା ନୀତିର ଘୋଷଣା କରାଯିବା । ଏବଂ ନୂଆ ଆପ୍ରେନଟେସିପ୍କୁ କୌଶଳ ବିକାଶ ଓ ଶ୍ରମ ମନ୍ତ୍ରାଳୟ ଦ୍ବାରା ପରିଚାଳନା କରାଯିବ ।