ଜାମ୍ମୁକାଶ୍ମୀର ନିର୍ବାଚନର କାହା ସହ ମେଣ୍ଟ କରିବେନି ଫାରୁକ ଅବଦୁଲ୍ଲା, ସମସ୍ତ ୯୦ଟି ଏକାକୀ ଲଢିବ ନ୍ୟାଶନାଲ କନଫରେନ୍ସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗାମୀ ଦିନରେ ହେବାକୁ ଯାଉଛି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ଫାରୁକ ଅବଦୁଲ୍ଲାଙ୍କ ନ୍ୟାଶନାଲ କନଫରେନ୍ସ(ଏନସି) କାହା ସହ ମେଣ୍ଟ କରିବ ନାହିଁ। ଦଳ ଏକାକୀ ଉପତ୍ୟକାର ସମସ୍ତ ୯୦ଟି ଯାକ ଆସନରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଧାରା ୩୭୦ ଉଚ୍ଛେଦ ପରେ ପିଡିପି ଠାରୁ ଆରମ୍ଭ କରି ଅନ୍ୟ କିଛି ରାଜନୀତିକ ଦଳ ସହ ମିଶି ଏନସି ଗୁପକର ମେଣ୍ଟ ଗଠନ କରିଥିଲା।ହେଲେ ଏବେ ଏନସି ଗୁପକର ମେଣ୍ଟରୁ ଓହରି ଯାଇଛି। ଏନସିର ଏପରି ଆଭିମୁଖ୍ୟ ପରେ ଗୁପକର ମେଣ୍ଟ ମଧ୍ୟ ଭାଙ୍ଗି ଯାଇଛି। ଗୁପକର ମେଣ୍ଟ ସହ ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରିବାକୁ ଏନସିର ନେତାମାନେ ସର୍ବସମ୍ମତିକ୍ରମେ ରାଜି ହୋଇଛନ୍ତି। ଏନେଇ ବୁଧବାର ସନ୍ଧ୍ୟାରେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଦଳର ସବୁ ନେତା ଗୁପକର ମେଣ୍ଟରୁ ଏନସି ଓହରି ଯିବା ଦରକାର ବୋଲି ମତ ରଖିଥିଲେ। ଏହାପରେ ଏନସି ହାଇକମାଣ୍ଡ ଦଳ ଜମ୍ମୁ-କଶ୍ମୀରର ସମସ୍ତ ୯୦ ଆସନରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଥିଲେ।

ସୂଚନା ଅନୁସାରେ, ଗୁପକର ମେଣ୍ଟ ୫ ରାଜନୀତିକ ଦଳକୁ ନେଇ ଗଠନ ହୋଇଥିଲା। ଏଥିରେ ଏନସି, ପିଡିପି, ଆୱାମୀ ନ୍ୟାଶନାଲ କନଫରେନ୍ସ, ସିପିଆଇ(ଏମ) ଓ ସିପିଆଇ ରହିଥିଲେ। ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫(ଏ) ହଟିବା ପରେ ଏହି ମେଣ୍ଟ ଗଠନ ହୋଇଥିଲା। ଜମ୍ମୁ-କଶ୍ମୀରରେ ପୁଣି ଧାରା ୩୭୦ ଲାଗୁ କରିବା ପାଇଁ ଶପଥ ନେଇ ଏହି ୫ ଦଳ ଏକାଠି ହୋଇଥିଲା। ତେବେ କିଛି ଦିନ ହେବ ଗୁପକର ମେଣ୍ଟରେ ଥିବା ରାଜନୀତିକ ଦଳର ନେତାମାନେ ଏନସିକୁ ଟାର୍ଗେଟ କରୁଥିଲେ। ସେମାନଙ୍କ ବୟାନବାଜୀ ଦିନକୁ ଦିନ ଏନସି ବିରୋଧରେ ଶାଣିତ ହେଉଥିବାରୁ ଦଳ ମେଣ୍ଟରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ଏନସିର ସାଂସଦ ହସନାନି ମାସୋଦି କହିଛନ୍ତି, ନିର୍ବାଚନ ପାଇଁ ଆଦୌ ଗୁପକର ମେଣ୍ଟ ହୋଇ ନଥିଲା। ଆମେ ଆଦର୍ଶଗତ ସମାନତା ଯୋଗୁ ଏକାଠି ହୋଇଥିଲୁ। ମେଣ୍ଟରେ ଥିବା ସବୁ ଦଳ କେନ୍ଦ୍ରର ୨୦୧୯ ଅଗଷ୍ଟ ୫ ନିଷ୍ପତ୍ତିକୁ ବିରୋଧ କରୁଥିଲେ। ସେମାନେ ୨୦୧୯ ଅଗଷ୍ଟ ୪ ଯାଏ ଥିବା ଜମ୍ମୁ-କଶ୍ମୀରର ସ୍ଥିତାବସ୍ଥା ଫେରାଇ ଆଣିବାକୁ ଚାହୁଁଥିଲେ। ନିର୍ବାଚନ ବେଳକୁ ମେଣ୍ଟରେ ଥିବା ସମସ୍ତ ଦଳ ନିଜ ନିଜ ଇଚ୍ଛାରେ ଯୁଆଡ଼େ ଯିବା କଥା ଯାଇ ପାରିବେ। ମେଣ୍ଟରୁ ଅଲଗା ନ ହେବା ପାଇଁ କେହି କାହାକୁ କଥା ଦେଇ ନଥିଲେ ବୋଲି ସେ କହିଛନ୍ତି। ସେହିପରି ପିଡିପିର ଜଣେ ମୁଖପାତ୍ର ମଧ୍ୟ ସମାନ କଥା କହିଛନ୍ତି।

Related Posts