ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଜମ୍ମୁକଶ୍ମୀରରେ ରହିଥିଲେ ମିଳିବ ନାଗରିକତା; ନିର୍ଦ୍ଦେଶ ପରେ ରାଜନୈତିକ ବୟାନବାଜି ଆରମ୍ଭ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ବର୍ଷ ସୁଦ୍ଧା ଜମ୍ମୁକଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ ଏହାପୂର୍ବରୁ ଭୋଟର ତାଲିକାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି | ବାସ୍ତବରେ, ସମସ୍ତ ତହସିଲଦାର ଏବଂ ରାଜସ୍ୱ ଅଧିକାରୀଙ୍କୁ ଜମ୍ମୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ଯେ ଏକ ବର୍ଷ ଧରି ଯେଉଁମାନେ ଜମ୍ମୁକଶ୍ମୀରରେ ରହୁଛନ୍ତି ସେହି ଲୋକଙ୍କୁ ଆବାସିକ ପ୍ରମାଣପତ୍ର ପ୍ରଦାନ କରାଯାଉ ।ଏହି ସାର୍ଟିଫିକେଟ୍ ଆଧାରରେ ଜମ୍ମୁରେ ଏକ ବର୍ଷ ଧରି ରହୁଥିବା ଲୋକମାନେ ଭୋଟର ତାଲିକାରେ ସାମିଲ ହେବେ। ଜମ୍ମୁ ପରେ ଏହି ନିର୍ଦ୍ଦେଶ ଶୀଘ୍ର ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଜାରି କରାଯିବ। କୁହାଯାଉଛି ଯେ, ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଜମ୍ମୁକଶ୍ମୀରର ଭୋଟର ତାଲିକାରେ ୨୫ ଲକ୍ଷ ନୂତନ ଭୋଟର ସାମିଲ ହେବେ। ଏହା ସହ କେନ୍ଦ୍ରଶାସିତ ଅଞ୍ଚଳର ଭୋଟରଙ୍କ ସଂଖ୍ୟା ୧ କୋଟି ଅତିକ୍ରମ କରିବ, ଯାହା ବର୍ତ୍ତମାନ ମାତ୍ର ୭୮ ଲକ୍ଷରେ ଅଛି |

ଜମ୍ମୁ ଜିଲ୍ଲା ନିର୍ବାଚନ ଅଧିକାରୀ ଅବନୀ ଲାଭାସା ଏକ ନିର୍ଦ୍ଦେଶ ଜାରି କରି ତହସିଲଦାରମାନଙ୍କୁ ଏକ ବର୍ଷ ପାଇଁ ବାସ କରୁଥିବା ଲୋକଙ୍କୁ ଆବାସିକ ପ୍ରମାଣପତ୍ର ପ୍ରଦାନ କରିବାକୁ କହିଛନ୍ତି। ଆଉ ଏହି ଆଦେଶକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି |

ଏହାକୁ ନେଇ ନ୍ୟାସନାଲ କନ୍ଫରେନ୍ସ ଆପତ୍ତି ଉଠାଇ କହିଛି ଯେ ବିଜେପି ଏକ ଷଡଯନ୍ତ୍ର କରୁଛି। ନ୍ୟାସନାଲ କନ୍ଫରେନ୍ସ କହିଛି ଯେ ଜମ୍ମୁକଶ୍ମୀରର ଭୋଟରମାନେ ବିଜେପିକୁ ପରାସ୍ତ କରିବେ ବୋଲି ଜାଣିବା ପରେ ନୂତନ ଭୋଟରଙ୍କୁ ଯୋଡିଛି। ତେବେ ବିଜେପି ଏହାକୁ ସଠିକ୍ ନିଷ୍ପତ୍ତି ବୋଲି କହିଛି।

ବିଜେପି ନେତା ରବିନ୍ଦର ରାଇନା କହିଛନ୍ତି, ‘ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରାଯାଉଛି। ନିୟମ ଅନୁଯାୟୀ, ଯେକୌଣସି ବ୍ୟକ୍ତି ଏକ ବର୍ଷ ଧରି ଯଦି ଏକ ନୂତନ ସ୍ଥାନରେ ରହିଆସିଛନ୍ତି, ତାଙ୍କ ନାମ ପୁରୁଣା ସ୍ଥାନ ତାଲିକାରୁ ହଟାଇ ନୂତନ ସ୍ଥାନରେ ଯୋଡି ପାରିବେ | ସେହି ଅନୁଯାୟୀ, ଏହି ନିର୍ଦ୍ଦେଶ ଜାରି କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଧାରା ୩୭୦ର କାର୍ଯ୍ୟକାରିତା ହେତୁ ଏହି ନିୟମ କାର୍ଯ୍ୟକାରୀ ହୋଇପାରିନଥିଲା | ଆଉ ଧାରା ୩୭୦ ରଦ୍ଦ ହେବା ପରେ ଜମ୍ମୁକଶ୍ମୀରରେ ପ୍ରଥମ ଥର ପାଇଁ ନିର୍ବାଚନ ହେବାକୁ ଯାଉଛି।

Related Posts