ଆପ୍ ର ସାଙ୍ଘାତିକ ଅଭିଯୋଗ, – ‘ ବିଜ୍ଞାପନ ଲଗାଇ ଟଙ୍କା ଦେଉନି ବିଜେପି, ୧୩୦୦ କୋଟି କ୍ଷତି ସହିଛି ଏମ୍‌ସିଡି ‘

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର ; ବିଜେପି ବିରୋଧରେ ଆମ୍ ଆଦମୀ ପାର୍ଟିର ସାଙ୍ଘାତିକ ଅଭିଯୋଗ। ବିଜ୍ଞାପନ ଲଗାଇ ଟଙ୍କା ଦେଉନି ବିଜେପି। ଆଉ ଏଥିପାଇଁ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମ୍‌ସିଡି) କୁ ୧୩୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ବିଜେପି ବିରୋଧରେ ଏଭଳି ଅଭିଯୋଗ ଆଣିଛି ଆମ୍‌ ଆଦମୀ ପାର୍ଟି। ଆପ୍‌ର ପ୍ରବକ୍ତା ସୌରଭ ଭରଦ୍ୱାଜ୍ ଅଭିଯୋଗ କରିଛନ୍ତି ଯେ, ଏମ୍‌ସିଡିର ଦେୟଯୁକ୍ତ ସ୍ଥାନରେ ବିଜେପି ମାଗଣାର ହୋର୍ଡିଂ ଲଗାଇଛି।

ସେ କହିଛନ୍ତି ଯେ, ” ଦିଲ୍ଲୀ ରାଜ ରାସ୍ତାରେ ଲାଗିଥିବା ହୋର୍ଡିଂକୁ ନେଇ ଏକ ସାମ୍ପଲ ସର୍ଭେ କରାଯାଇଥିଲା। ଏଥିରେ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା ଓ ତିନୋଟି ଏମ୍‌ସିଡିର ମେୟରଙ୍କ ଭଳି ବିଜେପିର ନେତାଙ୍କର ହୋର୍ଡିଂ ଦେଖାଯାଇଥିବା ଆପ୍ ଅଭିଯୋଗ କରିଛି। ତେବେ ଏହିସବୁ ହୋର୍ଡିଂ ପାଇଁ ଏମ୍‌ସିଡିକୁ ଏପର୍ଯ୍ୟନ୍ତ କୌଣସି ଟଙ୍କା ଦିଆଯାଇ ନାହିଁ ବୋଲି ଆମ ଆଦମୀ ପାର୍ଟି ପ୍ରଶ୍ନ କରିଛି ? ହୋର୍ଡିଂ ପାଇଁ ବିଜେପି ନେତା ଓ ସାଂସଦମାନେ କେତେ ଟଙ୍କା ଦେଇଛନ୍ତି ତାର ବିଲ୍‌ ଦେଖାଇବାକୁ ସୌରଭ ଦାବି କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ କେବଳ ପିଡବ୍ଲ୍ୟୁଡି ଦ୍ୱାରା ପରିଚାଳିତ ରାସ୍ତାରେ ଥିବା ଦେୟଯୁକ୍ତ MCD ସାଇଟଗୁଡ଼ିକରେ ଆନୁମାନିକ କ୍ଷତିର ହିସାବ କରିଛି। ଆପ୍ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ” ୧୧୦୦ କିମି ରାସ୍ତା ହୋର୍ଡିଂ ପାଇଁ ଆନୁମାନିକ ବାର୍ଷିକ ରାଜସ୍ୱ ୨୬୦୦ କୋଟି ହୋଇଥାଏ। ହେଲେ ଧରିନିଆଯାଉ ଯଦି ଏମ୍‌ସିଡି ବାର୍ଷିକ ଏହାର ଅଧା ରାଜସ୍ୱ ଆୟ କରୁଛି ତେବେ ବି ଏମ୍‌ସିଡି ୧୩୦୦ କୋଟି କ୍ଷତି ସହିଛି।” ବିଜେପି ଇଶାରାରେ ଚାଲୁଥିବା ଏମ୍‌ସିଡି ଅର୍ଥାଭାବ ଯୋଗୁଁ ତାଙ୍କ କର୍ମଚାରୀଙ୍କୁ ଦରମା ଦେଇପାରୁନଥିବା ବେଳେ ବିଜେପି ମାଗଣାରେ ଏମ୍‌ସିଡିରେ ନିଜର ବିଜ୍ଞାପନ କରୁଛି ବୋଲି ଆପ୍ ଅଭିଯୋଗ କରିଛି।
ତେବେ ଆପ୍‌ର ଏହି ସବୁ ଅଭିଯୋଗକୁ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଛି । ଇଣ୍ଡିଆ ଟୁଡେକୁ ପ୍ରତିକ୍ରିୟା ଦେଇ ବିଜେପି କାଉନସିଲର ଓ ଦକ୍ଷିଣ ଦିଲ୍ଲୀର ମେୟର ମୁକେଶ ସୂର୍ଯ୍ୟାନ କହିଛନ୍ତି ଯେ ଆପ୍‌ ଲଗାଇଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ତେବେ ସତରେ ବିଜେପି ହୋର୍ଡିଂ ପାଇଁ ଟଙ୍କା ଦେଇଛି ନା ନାହିଁ ସେନେଇ କୌଣସି ଉତ୍ତର ନଦେଇ ଓଲଟା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଟାର୍ଗେଟ କରି ଥିଲେ। ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂ ବି ଦିଲ୍ଲୀସାରା ଦେଖାଯାଉଛି। ସେ ଓ ସେମାନଙ୍କର ନେତା କଣ ଏହି ବେଆଇନ୍ ହୋର୍ଜିଂ ପାଇଁ ଏମ୍‌ସିଡିକୁ ପଇସା ଦେଇଛନ୍ତି କି ବୋଲି ଓଲଟା ପ୍ରଶ୍ନ କରିଥିଲେ ବିଜେପି ନେତା।

Related Posts