ଉତ୍ତର ପ୍ରଦେଶର ସୁଲତାନପୁର ଏକ୍ସପ୍ରେସ ୱେ ନିକଟରେ BMW ଓ କଣ୍ଟେନର ମଧ୍ୟରେ ଭୟଙ୍କର ଧକ୍କା: ୪ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସୁଲତାନପୁର ଦେଇ ଯାଇଥିବା ଏକ୍ସପ୍ରେସ ୱେ ନିକଟରେ ଭୟଂକର ସଡ଼କ ଦୁର୍ଘଟଣା । ଗୋଟିଏ BMW ଓ କଣ୍ଟେନର ମଧ୍ୟରେ ଭୟଙ୍କର ଧକ୍କା ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ BMW ଉପରେ କଣ୍ଟେନର ସିଧା ମାଡ଼ି ଯାଇଛି। ଏହି ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି। ଖବର ପୁଲିସ ଟିମ ଓ ୟୁପିଡିଏ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ତଦନ୍ତ ଆରମ୍ଭ କରିଛନ୍ତି। ହଲିଆପୁର ପୁଲିସ୍‌ ଷ୍ଟେସନ ଅଧୀନରେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁ ଗୁରୁବାର ପୂବାଞ୍ଚଳ ଏକ୍ସପ୍ରେସ ୱେର କିଛି ଅଂଶ ସାମାନ୍ୟ ଦବି ଯାଇଥିଲା। ୫ ଫୁଟ ଗଭୀର ଓ ୧୫ ଫୁଟ ଚଉଡ଼ାର ଗାତ ହୋଇଥିବାରୁ ଏକ୍ସପ୍ରେସ ୱେର ଗୋଟିଏ ପାର୍ଶ୍ୱରେ ଗାଡ଼ି ଯିବା ଆସିବା କରୁଥିଲା।

ଆଜି ଅପରାହ୍ନରେ ଗୋଟିଏ କଣ୍ଟେନର ଏକ୍ସପ୍ରେସ ୱେରେ ଲକ୍ଷ୍ନୌରୁ ଆସୁଥିବା ବେଳେ BMWଟି ବିପରୀତ ଦିଗରୁ ଯାଉଥିଲା। ଏହାର ସ୍ପିଡ ପ୍ରାୟ ଘଣ୍ଟା ପ୍ରତି ୧୫୦ କିମି ଥିବା କୁହାଯାଉଛି। ଏହି ସ୍ପିଡରେ ଦୁଇଟି ଯାକ ଗାଡ଼ି ପରସ୍ପରକୁ ଧକ୍କା ଦେଇଥିଲା। ସ୍ଥିତି ଏପରି ହୋଇଥିଲା ଯେ BMWର ଇଞ୍ଜିନ ଓ କାରରେ ଥିବା ୪ ଜଣ ଦୁର୍ଘଟଣା ପରେ କିଛି ବାଟ ଛିଟିକି ପଡ଼ିଥିଲେ।

କାରର ବାକି ଅଂଶରେ କଣ୍ଟେନର ମାଡ଼ି ଯାଇଥିଲା। ମୃତ ୪ ଜଣଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡ ଗଣ୍ଡିରୁ ଅଲଗା ବି ହୋଇଯାଇଥିବା ଜଣାପଡ଼ିଛି। ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଦୁର୍ଘଟଣାଗ୍ରସ୍ତ କାର୍‌ର ନମ୍ବର ହେଉଛି UK 01 C 0009। ଅର୍ଥାତ ଗାଡ଼ିଟି ଉତ୍ତରାଖଣ୍ଡର ବୋଲି ଅନୁମାନ କରାଯାଇଛି।

Related Posts