ପାଟନା: ବିହାରର ବୈଶାଳୀରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଲୋକଙ୍କ ଉପରେ ମାଡ଼ିଯାଇଛି ହାଇଓ୍ବା । ଫଳରେ ଘଟଣାସ୍ଥଳରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି ।
ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।
ସୂଚନା ଅନୁଯାୟୀ, ଏହି ଭୟଙ୍କର ଦୁର୍ଘଟଣା ବୈଶାଳୀ ମହନାର-ହାଜିପୁର ରାଜ୍ୟ ରାଜପଥରେ ଘଟିଛି । ସୁଲତାନପୁର ଥାନା ଅନ୍ତର୍ଗତ ବ୍ରହ୍ମାସ୍ଥାନ ନିକଟରେ ଭୂଆଁ ବାବାଙ୍କ ପୂଜା ଚାଲୁଥିବାବେଳେ ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ଲୋକଙ୍କ ଉପରେ ମାଡ଼ିଯାଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଛୋଟ ପିଲା ଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣାରେ ମୃତାହତ ନେଇ ପ୍ରଶାସନ ପକ୍ଷରୁ କୌଣସି ସଠିକ୍ ସୂଚନା ଦିଆଯାଇନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
