FBI ତଦନ୍ତ: କିଏ କହୁଛି ସତ ?

ଭୁବନେଶ୍ୱର,୨୭/୫(ସତ୍ୟପାଠ ବ୍ୟୁରୋ): ଗତ ଜାନୁଆରୀ ୨୯ ତାରିଖରେ ଦିନ ଦ୍ବିପହରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ପୁଲିସ ଏଏସଆଇ ଗୋପାଳ ଦାସ। ଏହାର ୧୨୮ ଦିନ ପରେ ଗତକାଲି ଏହି ମାମଲାରେ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ତେବେ ଏସବୁ ଭିତରେ ଏବେ ରାଜ୍ୟ ସରକାର ଏହି ମାମଲାର ତଦନ୍ତ ପାଇଁ ଆମେରିକାର FBI ର ସହାୟତା ଲୋଡ଼ିବା ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଦ୍ଵନ୍ଦ ଆରମ୍ଭ ହୋଇଛି |

ପ୍ରଥମେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଅଧିକାରୀ କର୍ମୀ କ୍ଷିତିଶ ସିଂହଙ୍କୁ ନବ ଦାସ ହତ୍ୟାର FBI ତଦନ୍ତ ନେଇ କୌଣସି ଚିଠି ରାଜ୍ୟ ସରକାର ଲେଖି ନଥିବା କୁହାଗଲା | ଏହାପରେ ଏନେଇ ଗଣାମାଧ୍ୟମଠୁ ନେଇ ରାଜ୍ୟ ତମାମ ଏନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ କ୍ରାଇମବ୍ରାଞ୍ଚ ଏନେଇ ରଖିଛି ସ୍ପଷ୍ଟୀକରଣ | FBI ସହାୟତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି କରାଯାଇଥିବା କହିଛି କ୍ରାଇମବ୍ରାଞ୍ଚ | ରାଜ୍ୟ ଗୃହ ବିଭାଗ ଏନେଇ MHAକୁ ଚିଠି ଲେଖିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ପ୍ରେସ ରିଲିଜରେ କୁଆଯାଇଛି|ଫେବ୍ରୁଆରୀ ୨୨ରେ ଚିଠି ନଂ 187/Cରେ ଚିଠି ହୋଇଥିବା କହିଛି କ୍ରାଇମବ୍ରାଞ୍ଚ| ନିୟମାନୁସାରେ କୌଣସି ରାଜ୍ୟ ସରକାର ସିଧା FBIକୁ କହିପାରିବେନି ତେଣୁ ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଜଣାଇଥିଲୁ ବୋଲି କ୍ରାଇମବ୍ରାଞ୍ଚ କହିଛି |

ଏହାସହିତ କ୍ରାଇମବ୍ରାଞ୍ଚ କହିଛି ଯେ, ଗୋପାଳର ପରିବାର ଲୋକ ତାର ମାନସିକ ସ୍ଥିତି ଠିକ ନଥିବା କହିଥିଲେ| ହେଲେ ମେଡିକାଲ ଟିମ୍ ଦ୍ୱାରା ଯାଞ୍ଚରୁ ସେ ମେଣ୍ଟାଲି ଫିଟ୍‌ ଥିବା ଜଣାପଡ଼ିଥିଲା| ଏଥିରେ ଅଧିକ ସ୍ପଷ୍ଟତା ପାଇଁ CFSL, SFL, SCB ସହାୟତା ବି ନିଆଯାଇଥିଲା ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି |

ତେବେ ନବ ଦାସଙ୍କ ହତ୍ୟା ଏକ ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ହୋଇଥିବା ବେଳେ ପ୍ରଥମେ ଏହାର FBI ତଦନ୍ତ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ କହିବା ଓ ପରେ ଏବେ ଏନେଇ କ୍ରାଇମବ୍ରାଞ୍ଚ ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଭିନ୍ନ ଭିନ୍ନ ଉତ୍ତର ଦେବା କିଏ ସତ କହୁଛି ଓ କିଏ ମିଛ କହୁଛି ସେନେଇ ଏକ ବିରାଟ ଦ୍ୱନ୍ଦ୍ୱ ସୃଷ୍ଟି କରିଛି |

Related Posts